ଫୁଲବାଣୀରେ ଜିଲ୍ଲା ପ୍ରସାଶନ ଓ ଓରମାସ କନ୍ଧମାଳ ପକ୍ଷରୁ ଆମ୍ବ ମେଳା ଉଦ୍ଘାଟିତ।

 


ଫୁଲବାଣୀ:-୦୬/୦୬(ରିପୋର୍ଟ ବୈଦ୍ୟନାଥ ବେହେରା) ଗ୍ରାମାଞ୍ଚଳର ଆମ୍ବ ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା, ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଦୂର କରିବା ଏବଂ ଉପଭୋକ୍ତାମାନଙ୍କୁ ୧୦୦ ପ୍ରତିଶତ ପ୍ରାକୃତିକ ଭାବେ ପାଚିଥିବା ସତେଜ ଆମ୍ବ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓରମାସ, କନ୍ଧମାଳ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସ୍ୱୟଂ ସହାୟିକା ଗୋଷ୍ଠୀ କେନ୍ଦ୍ର, ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟ, ଫୁଲବାଣୀ ଠାରେ ଏକ ଆମ୍ବ ମେଳାର ଆୟୋଜନ କରାଯାଇଛି।ଏହି ଆମ୍ବ ମେଳାକୁ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ବୁନାଥ ନନ୍ଦୀ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ, କନ୍ଧମାଳ ଶ୍ରୀ ଗୁଣ୍ଡିଚା ବେହେରା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ।ଓରମାସ ଦ୍ୱାରା ଗଠିତ ତିନୋଟି କୃଷକ ଉତ୍ପାଦକ ସଂଗଠନ (FPO) ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି। ଏହି FPO ଅନ୍ତର୍ଗତ ଆମ୍ବ ଚାଷୀମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କିସମର ଆମ୍ବ ଯଥା ଆଖୁରସ, ତୋଟାପୁରୀ, ଅମ୍ରପାଲୀ, ଦଶେରୀ, ବାଇଗଣପଲ୍ଲୀ, ଲଙ୍ଗଡ଼ା ଓ ମଲ୍ଲିକା ପ୍ରଭୃତି ମେଳାରେ ବିକ୍ରୟ କରୁଛନ୍ତି।

ଏହି ମେଳା ମାଧ୍ୟମରେ ଚାଷୀମାନେ ସେମାନଙ୍କ ଉତ୍ପାଦର ନ୍ୟାୟସଙ୍ଗତ ମୂଲ୍ୟ ପାଇପାରିବେ ଏବଂ ସ୍ଥାନୀୟ ଉପଭୋକ୍ତାମାନେ ଏକ ସ୍ଥାନରେ ବିଭିନ୍ନ ଚାହିଦା ସମ୍ପନ୍ନ ଆମ୍ବ କିଣିବାର ସୁବିଧା ପାଇବେ। ଏହା ସହିତ ମଧ୍ୟସ୍ଥଙ୍କ ଭୂମିକାକୁ ହ୍ରାସ କରି ଗ୍ରାମୀଣ ଚାଷୀମାନଙ୍କ ଆୟ ବୃଦ୍ଧି ଏବଂ ଉପଭୋକ୍ତାଙ୍କୁ ସିଧାସଳଖ ଫାର୍ମରୁ ସତେଜ ଓ ପ୍ରାକୃତିକ ଭାବେ ପାଚିଥିବା ଆମ୍ବ ଯୋଗାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆମ୍ବ ମେଳା ୦୬  ଜୁନ ୨୦୨୬ ଠାରୁ ୧୫ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାବାସୀଙ୍କୁ ଏହି ମେଳା ପରିଦର୍ଶନ କରି ସ୍ଥାନୀୟ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଉତ୍ତମ ଗୁଣବତ୍ତାର ଆମ୍ବ କ୍ରୟ କରିବାକୁ ଓରମାସ, କନ୍ଧମାଳ ପକ୍ଷରୁ ଅନୁରୋଧ କରାଯାଇଛି।

Post a Comment

Previous Post Next Post