(ବିଶ୍ୱ ପରିବେଶ ଦିବସର ଆହ୍ୱାନ)
ଫୁଲବାଣୀ:-୦୬/୦୬ (ରିପୋର୍ଟ ବୈଦ୍ୟନାଥ ବେହେରା)ମହିଳା ଆର୍ଥିକ ସଶକ୍ତିକରଣ ଏବଂ ଜଳ ସୁରକ୍ଷିତ ଗ୍ରାମ ପଞ୍ଚାୟତ ଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ, ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଓ ଗ୍ରାମ ବିକାଶର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ପରିଷଦ ସଭାଗୃହ, ଫୁଲବାଣୀଠାରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂସ୍ଥା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଗ୍ରାମ ପଞ୍ଚାୟତ ପ୍ରତିନିଧି ଏବଂ ସମୁଦାୟର ସଦସ୍ୟମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ବୃକ୍ଷକୁ ଜଳ ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ କରାଯାଇଥିଲା। ଗ୍ରାମ ବିକାଶର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିବି ଟି. ଜନସନ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଗ୍ରାମାଞ୍ଚଳର ସମଗ୍ର ବିକାଶ ପାଇଁ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଗ୍ରାମ ବିକାଶର ଜିଲ୍ଲା ପରିଚାଳକ ବିଶ୍ୱଜିତ ସାହୁ କନ୍ଧମାଳ ଜିଲ୍ଲାରେ ସଂସ୍ଥାର ଯାତ୍ରା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ସମୁଦାୟ ସହ ଭାଗିଦାରୀ ଉପରେ ସଂକ୍ଷିପ୍ତ ଉପସ୍ଥାପନା କରିଥିଲେ। କର୍ମଶାଳାରେ କନ୍ଧମାଳ ଜିଲ୍ଲାର ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଡିଏଫଓ ଘନଶ୍ୟାମ ମହାନ୍ତି, ଓରମାସ ସିଇଓ ଗୁଣ୍ଡିଚା ବେହେରା,ନାବାର୍ଡ ଡିଡିଏମ ଏସ.କେ.ମହାନ୍ତି,କୃଷି ବିଭାଗର ପବିତ୍ର ମୋହନ ସାହୁ,ମିଶନ ଶକ୍ତିର ଡିପିସି ରାମ ତାଣ୍ଡି,ମତ୍ସ୍ୟ ବିଭାଗର ରାମଚନ୍ଦ୍ର ବେହେରା, ପାହାଡ଼ ସଂସ୍ଥାର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର ଏବଂ କେ.ଜେ.ଏସ.ଭିଏସ ର ପ୍ରତିଷ୍ଠାତା ଦୀନବନ୍ଧୁ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନା,କୃଷି,ଜଳ ସଂରକ୍ଷଣ, ବନ ସୁରକ୍ଷା,ଜୀବିକା ବିକାଶ ଓ ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ବିଷୟରେ ମତାମତ ରଖିଥିଲେ।
ସିଡିଓ ଶ୍ରୀ ନନ୍ଦୀ ଜଳ,ଜଙ୍ଗଲ ଓ ଜମିର ସୁପରିଚାଳନାରେ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଭବିଷ୍ୟତ ପିଢ଼ି ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଡିଏଫଓ ଘନଶ୍ୟାମ ମହାନ୍ତି ପୋଡୁ ଚାଷ ଦ୍ୱାରା ବନ ଓ ଜଳ ସମ୍ପଦ ଉପରେ ପଡୁଥିବା ପ୍ରଭାବ ସମ୍ବନ୍ଧରେ ସଚେତନ କରାଇଥିଲେ। କୃଷି ବିଭାଗ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ ଏବଂ ସ୍ଥାୟୀ କୃଷି ପଦ୍ଧତି ଅନୁସରଣ ପାଇଁ ଆହ୍ୱାନ ଜଣାଇଥିଲା।
ଓରମାସ ପକ୍ଷରୁ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦନ, ସ୍ୱଚ୍ଛତା ଓ ବଜାର ସଂଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିବା ବେଳେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆମ୍ବ, ପିଜୁଳି, ଲେମ୍ବୁ ଚାରା, ହଳଦୀ, ଅଦା, ଆଳୁ ଓ ପିଆଜ ଚାଷ ପାଇଁ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦିଆଯାଇଥିଲା। କର୍ମଶାଳାର ଏକ ପ୍ରମୁଖ ଆକର୍ଷଣ ଥିଲା ସମୁଦାୟ ପ୍ରତିନିଧି ଓ ମହିଳା ଉଦ୍ୟୋଗୀମାନଙ୍କର ଅନୁଭୂତି ବିନିମୟ। ସିଙ୍ଗାବାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଆନ୍ଦ୍ରିୟା ପ୍ରଧାନ ସମନ୍ୱୟ ମେଳା ମାଧ୍ୟମରେ ସରକାରୀ ବିଭାଗ ସମ୍ମୁଖରେ ଗ୍ରାମର ଦାବି ଉପସ୍ଥାପନ କରି ମିଳିଥିବା ସଫଳତା ସମ୍ପର୍କରେ କହିଥିଲେ। ଦେବକୀ ବେହେରା,ଝରଣା ସାହୁ,ପ୍ରେମାନ୍ତୀ ଦିଗାଲ,ମାମି କୁମାରୀ ନାୟକ ଓ ମେନକା ନାୟକ ସ୍ୱୟଂଶ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବ୍ୟବସାୟ ବିକାଶ, ଆର୍ଥିକ ସ୍ୱାବଲମ୍ବନ ଏବଂ ‘ଲକ୍ଷପତି ଦିଦି’ହେବାର ଅନୁଭବ ବାଣ୍ଟିଥିଲେ। ଜିପିସିସି ସଦସ୍ୟମାନେ ଗ୍ରାମ ସମିତି ଓ ସମନ୍ୱୟ କମିଟିର ଭୂମିକା, ସରକାରୀ ଯୋଜନାରେ ଅଧିକାର ହାସଲ ଏବଂ ସମୁଦାୟ ନେତୃତ୍ୱ ବିକାଶ ଉପରେ ନିଜର ଅନୁଭବ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ଦ୍ୱାରା ପରିଚାଳିତ ସୁରକ୍ଷିତ ଓ ସମ୍ମାନଜନକ ପ୍ରବାସ,ଶିଶୁଗୃହ, ଯୁବାସାଥୀ,ମହିଳା ସଶକ୍ତିକରଣ ଓ ଜଳ ସୁରକ୍ଷିତ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଆୟୋଜିତ ହୋଇଥିଲା। ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମହିଳା ସଶକ୍ତିକରଣ,ଜଳ ସଂରକ୍ଷଣ, ସ୍ଥାୟୀ ଜୀବିକା ଓ ସମନ୍ୱିତ ଗ୍ରାମୀଣ ବିକାଶ ପାଇଁ ସରକାରୀ ବିଭାଗ,ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ସମୁଦାୟ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।


