କୃଷ୍ଣପ୍ରସାଦ - (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ଅରଖକୁଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକୀ ଦୁଇ ଦିନିଆ କ୍ରୀଡା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସୁଲୋଚନା ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସର ଖେଳ ଶିକ୍ଷକ ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ସାତପଡ଼ା ମଣ୍ଡଳ ବିଜେପି ସଭାପତି ପ୍ରଦୀପ୍ତ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଶ୍ରବଣ ପ୍ରଧାନ, ବ୍ରହ୍ମଗିରି ଯୋଗ ଶିକ୍ଷକ ଗୋପବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ହର ନାରାୟଣ ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ସଭା ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଶିବରାମ ବେହେରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥି ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ପରେ ଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ପ୍ରାରମ୍ଭିକ ସଙ୍ଗୀତ ବେଶ ମନମୁଗ୍ଧକର ଥିଲା । ପ୍ରଥମ ଦିବସରେ ବିଦ୍ୟାଳୟ କ୍ରୀଡାଙ୍ଗନରେ ଦୌଡ଼, ଭଲିବଲ, କ୍ରିକେଟ, ଜାଭଲିନ, ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଖେଳ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଭିଭାବକ, ଅତିଥି, ଛାତ୍ରଛାତ୍ରୀ, ଜନସାଧାରଣ ବେଶ ଉପଭୋଗ କରିଥିଲେ । ସହକାରୀ ଶିକ୍ଷକ କାହ୍ନୁ ଚରଣ ବେହେରା, ଶିବରାମ ବେହେରା, ସୀମା ସଉରା, ରାକେଶ ଗୋଛାୟତ, ସୋନିଆ ନାୟକ, ପ୍ରସନ୍ନ ବିଶ୍ୱାଳ, ଧର୍ମପଦ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବା ବେଳେ ବୁଧବାର ଉତ୍ସବର ଉଦଯାପନ ହେବ ବୋଲି ଜଣାଯାଇଛି ।


