ସ୍ମାରକୀ ରୂପେ ଛିଡା ହୋଇଥିବା ବ୍ରହ୍ମପୁର ଷ୍ଟେସନ ଓ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ଅନ୍ତରାୟ କେଉଁଠି ?

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଦେଶର ସର୍ବ ପୂରାତନ ତଥା ପ୍ରାଚୀନ ଐତିହାସିକ ଷ୍ଟେସନ ମଧ୍ୟରୁ ବ୍ରହ୍ମପୁର ରେଳ ଷ୍ଟେସନ ଅନ୍ୟତମ। ସମସାମୟିକ ଭାବେ ଗଢି ଉଠିଥିବା ସମସ୍ତ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ଖଞ୍ଜି ଦିଆଯାଇ ଅଗ୍ରଣୀ ଷ୍ଟେସନରେ ପରିଣତ ହୋଇ ସାରି ଯୋଗାଯୋଗର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ବେଳେ ବ୍ରିଟିଶ ଅମଳର ଏହି ଷ୍ଟେସନଟି ଯେଉଁ ତିମିରକୁ ସେହି ତିମିରରେ। ବସ୍ତୁତଃ ଏହା ଏକ ସ୍ମାରକ ଷ୍ଟେସନ ରୂପେ ବିଦ୍ୟମାନ ହୋଇ ଛିଡା ହେଲା ପରି ଲାଗୁଛି। ସ୍ୱାଧୀନତା ପରେ ଅନ୍ୟ ରାଜ୍ୟ ଓ ଅଞ୍ଚଳ ତୁଳନାରେ ଓଡ଼ିଶାରେ ରେଳ ପଥ ଓ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଧିମା ଓ ଆବଶ୍ୟକତାରୁ ବହୁ ଦୂରରେ। ସ୍ଵାଧୀନୋତ୍ତର ଭାରତ ବର୍ଷରେ କେନ୍ଦ୍ରରେ ଶାସନରେ ରହିଆସିଥିବା ସରକାର ମାନେ ଓଡିଶାରେ ରେଳ ପଥର ବିକାଶ ପ୍ରତି ସମୁଚିତ ଧ୍ୟାନ ଦେଇ ନାହାନ୍ତି। ରେଳ ବଜେଟରେ ରେଳ ବିକାଶ ନାମରେ କିଛି ଅର୍ଥ ବ୍ୟବସ୍ଥା ରହୁଥିଲେ ସୁଦ୍ଧା ତାହା ଆବଶ୍ୟକତା ଅନୁସାରେ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ରହୁଥିଲା। କିନ୍ତୁ ବିଗତ କିଛି ବର୍ଷ ହେଲା ଯଦିଓ ଓଡ଼ିଶାର ରେଳ ଭିତ୍ତିଭୂମି ଅଭିବୃଦ୍ଧି ଓ ପ୍ରକଳ୍ପ ବାବଦରେ ରେଳ ବଜେଟରେ କିଛି ଆଖି ଦୃଶୀୟା ବ୍ୟୟ ବରାଦ କରାଯାଉଛି । କିନ୍ତୁ ସେହି ଅନୁଦାନର ସିଂହ ଭାଗ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳର ରେଳ କ୍ଷେତ୍ରର ବିକାଶରେ ବିନିଯୋଗ ହେଇଥିଲା ବେଳେ ରାଜ୍ୟର  ଅନଗ୍ରସର ଅଞ୍ଚଳ ରୂପେ ପରିଚିତ ଏହି ଦକ୍ଷିଣ ଭାଗର ରେଳ ପଥ ଓ ଭିତ୍ତିଭୂମି ଉନ୍ନୟନ ଦିଗରେ ଅବହେଳା , ଅଣଦେଖା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଇଛି ଏଥିରେ କୌଣସି ଦ୍ଵିମତ ନାହିଁ। ସାଧାରଣତଃ ଦେଶର ସବୁ ରାଜ୍ୟର ଦକ୍ଷିଣାଞ୍ଚଳ ଟି ସମୃଦ୍ଧିଶାଳୀ ଓ ଭିତ୍ତିଭୂମି କ୍ଷେତ୍ରରେ ବିକଶିତ ଅଞ୍ଚଳ ହୋଇଥିବା ବେଳେ କେବଳ ଓଡ଼ିଶାର ଏହି ଦକ୍ଷିଣାଞ୍ଚଳଟି ବ୍ୟତିକ୍ରମ। ଏହା ଏକ ଅନଗ୍ରସର, ଅବିକଶିତ ଓ ଅବହେଳିତ ଅଞ୍ଚଳ ରୂପେ ଜଣାଶୁଣା। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ତଥା ଦେଶ ଅମୃତ କାଳ ପାଳୁଥିବା ବେଳେ ରାଜ୍ୟର ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଫୁଲବାଣୀ, କନ୍ଧମାଳ, ଆସିକା, ଦିଗପହଣ୍ଡି, ଭଞ୍ଜନଗର ଓ ମାଲକାନଗିରି ପ୍ରଭୁତି ବିଭିନ୍ନ ଅଞ୍ଚଳକୁ ରେଳ ସଂଯୋଗ ହୋଇପାରିଲା ନାହିଁ। ଏହି ସବୁ ଅଞ୍ଚଳ ଜନଜାତି ବହୁଳ ଅଞ୍ଚଳ ଜୈବ ତଥା ପ୍ରାକୃତିକ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହୋଇଥିବା କାରଣରୁ ରେଳ ପଥର ବିକାଶ ହେଲେ ଏଠାକାର ସାମାଜିକ,ସାଂସ୍କୃତିକ, ଅର୍ଥନୈତିକ, ବାଣିଜ୍ୟକ କାର୍ଯ୍ୟକଳାପରେ ଅଭିବୃଦ୍ଧି ଘଟି ଦାରିଦ୍ର୍ୟ ହାରରେ ହ୍ରାସ ପାଇଥାନ୍ତା। ଦେଶର ବିକାଶରେ ଏହି ଅଞ୍ଚଳ ନିଜକୁ ଯୋଡ଼ି ପାରିଥାନ୍ତା। ଏହି ଅଞ୍ଚଳ ଲୋକଙ୍କ ପାଇଁ ରେଳ ଆଜି ମଧ୍ୟ ଏକ ସ୍ବପ୍ନ ହୋଇ ରହିଛି। ସେହିଭଳି ବ୍ରହ୍ମପୁର ଷ୍ଟେସନ ଦେଶର ଦକ୍ଷିଣ ଭାଗ ଓ ପୂର୍ବ ଭାଗଗୁ ସଂଯୋଗ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ହୋଇଥିଲେ ମଧ୍ୟ ଏହାର ଉନ୍ନତିକରଣ , ପ୍ରଶସ୍ତିକରଣ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଏହାକୁ ଆଧୁନିକକରଣ ଓ ବିଶ୍ବସ୍ତରୀୟ ଯାତ୍ରୀ ରହଣୀ ଷ୍ଟେସନ ରେ ପରିଣତ କରିବା ପାଇଁ ବହୁ ଦିନରୁ ଦାବୀ ଓ ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ ରେଳ ବିଭାଗ ଏହା ଉପରେ ଧ୍ୟାନ ଦେଉନାହାନ୍ତି। ରାଜ୍ଵସ୍ଵ ଆୟ ପ୍ରଦାନ କ୍ଷେତ୍ରରେ ବ୍ରହ୍ମପୁର ଷ୍ଟେସନ ଭୁବନେଶ୍ୱର ଓ ପୁରୀ ପରେ ଏହି ଷ୍ଟେସନ ତୃତୀୟ କ୍ଷେତ୍ରରେ ରହି ଏନଏସଜି ୨ ର ମାନ୍ୟତା ପାଇଥିଲେ ମଧ୍ୟ ସେହି ଅନୁପାତରେ ଏହାର ବିକାଶ ନିମନ୍ତେ ଯେଉଁ ଭଳି ଅର୍ଥ ବରାଦ ଓ କାର୍ଯ୍ୟକ୍ରମ ନିଆଯିବା କଥା ତାହା ପ୍ରକଟିତ ହେଉନାହିଁ। ଆଜି ପର୍ଯ୍ୟନ୍ତ ଦେଶର ପ୍ରମୁଖ ସହର ଗୁଡିକ ସହ ସିଧାସଳଖ ସଂଯୋଗ ସ୍ଥାପନ ନିମନ୍ତେ ଏଠାରୁ ଟ୍ରେନ ପକେଇବାକୁ ଦାବୀ ହେଉଥିଲେ ମଧ୍ୟ କର୍ଣ୍ଣପାତ କରାଯାଉ ନାହିଁ। ଦେଶର ସମସ୍ତ ପ୍ରମୁଖ ଷ୍ଟେସନର ଉନ୍ନତିକରଣ ହେଉଥିବା ବେଳେ ବ୍ରହ୍ମପୁର ପ୍ରତି ଏଭଳି ପାତରଅନ୍ତର କରିବା ପଛରେ କଣ ଦୁରଭିସଦ୍ଧି ରହିଛି ଓ କିଏ କେଉଁଠି ଅନ୍ତରାୟ ସୃଷ୍ଟି କରୁଛି ସ୍ପଷ୍ଟ ହେବା ଦରକାର  ନହେଲେ ଏହି ଷ୍ଟେସନ ଏକ ସ୍ମାରକୀରେ ପରିଣତ ହୋଇ ରହିଯିବ। ତେଣୁ ରେଳ ମନ୍ତ୍ରୀ, ରାଜ୍ୟ ସରକାର ଓ ଜନ ପ୍ରତିନିଧି ମାନେ ବେଳ ଥାଉ ଥାଉ ଏଥିପ୍ରତି ସଚେତନ ହୋଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ନଚେତ୍ ଭବିଷ୍ୟତରେ ଜନପ୍ରତିନିଧି ମାନେ ଏଠାକାର ଜନସାଧାରଣ ଙ୍କ ଆକ୍ରୋଶ ଓ କ୍ଷୋଭର ଶୀକାର ହେବା ସହ ଏକ ବିରାଟ ଆନ୍ଦୋଳନକୁ ଜନ୍ମ ଦେବ ଏଥିରେ ସନ୍ଦେହ ନାହିଁ।

Post a Comment

Previous Post Next Post