ମାଲକାନଗିରି ତା ୨୨/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ାରେ ବସବାସ କରୁଥିବା ବଣ୍ଡା ଜନଜାତି ମହିଳାଙ୍କ ପୁରାତନ ଅଳଙ୍କାରକୁ ବିଶ୍ଵଦରବାରରେ ପରିଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଜିଲ୍ଲା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ବଣ୍ଡା ମହିଳାମାନଙ୍କୁ ସ୍ବତନ୍ତ୍ର ପ୍ରକଳ୍ପ ଅଧୀନରେ ପାରମ୍ପରିକ ଅଳଙ୍କାର ଓ ମାଳି ତିଆରି ପାଇଁ ତାଲିମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୦ ମହିଳା ଯୁବତୀଙ୍କୁ ପାରମ୍ପରିକ ପୁଷିମଳି ତିଆରି ପ୍ରଶିକ୍ଷଣ ଦିଆଯାଉଛି। ଏହି ତାଲିମ ପାଇଁ ସାଢେ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ମନୁସୀ ସେଠୀ ସୂଚନା ଦେଇଛନ୍ତି। ଖଇରପୁଟ ବ୍ଲକ ମୁଦୁଲିପଡା ଓ ଅଣ୍ଡରାହଲ ପଞ୍ଚାୟତରେ ବସବାସ କରୁଥିବା ବଣ୍ଡା ସମ୍ପ୍ରଦାୟର ମହିଳାମାନଙ୍କ କଳା, ସଂସ୍କୃତି ଓ ପାରମ୍ପାରିକ ଅଳଙ୍କାର, ବେଶଭୁଷା ସମ୍ପୂର୍ଣ ନିଆରା। ସେମାନଙ୍କ ପୁରାତନ ଅଳଙ୍କାର ଓ କଳା ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏହାକୁ ବିଶ୍ଵଦରବାରରେ ପରିଚିତ କରିବା ଲାଗି ପ୍ରଶାସନ ତରଫରୁ ସ୍ବତନ୍ତ୍ର ତାଲିମ୍ ବ୍ୟବସ୍ଥା କରାଯାଇଛି। ତାଲିମ୍ ପରେ ସେମାନଙ୍କ ଅଳଙ୍କାରକୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି।
ତାଲିମ୍ ଦ୍ବାରା ଜନଜାତି ମହିଳାଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ। ଏଥିସହ ନିଯୁକ୍ତି ସୁଯୋଗ ଆସିବା ପରେ ଜୀବନର ମାନ ଉନ୍ନତ ହେବ ବୋଲି ଜିଲ୍ଲା ବିଶେଷକରି ମହିଳାମାନେ ମୁଣ୍ଡରେ ପିନ୍ଧୁଥବା ମାଳି ବା ରିନାମ୍ବ, ଗଳା ମାଳି ଲ୍ବେଇ ଡାକ୍, ବେକରେ ପିନ୍ଧୁଥିବା ଚଙ୍ଗୁ, ପଇସା ଓ କଉଡ଼ିମାଳ ଗୁତେ, କାନଫୁଲ ଜୁନାଙ୍ଗ, ଅଣ୍ଟାରେ ପିନ୍ଧୁଥିବା ବସ୍ତ୍ର ରିଙ୍ଗାର ଏବେ ଅନ୍ତର୍ଜାତୀୟ ବଜାରରେ ଚାହିଦା ରହିଛି। ଏହା ପ୍ରସ୍ତୁତ କରିବା ଲାଗି ଏକ ମାସ ତାଲିମ ଦିଆଯିବ। ରାଜଧାନୀ ଭୁବନେଶ୍ଵର ମିଶନଶକ୍ତି ବଜାରରେ ସ୍ବତନ୍ତ୍ର ଷ୍ଟଲ ଲାଗି ନିକଟରେ ବଣ୍ଡା ମହିଳାମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଦାବି ରଖିଥିଲେ ।ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠାରେ ମୋବାଇଲ ନେଟୱାର୍କ ନଥିବାରୁ ଅନଲାଇନ ବ୍ୟବସାୟ ପ୍ରତିବନ୍ଧକ ସାଜିଛି। ତୁରନ୍ତ ଘାଟିରେ ନେଟୱାର୍କ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


