ସରକାର ପରିବର୍ତ୍ତନ ପରେ ଜିଲ୍ଲା ଦାବୀ ନୀରବି ଗଲା

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ୧୯୯୩ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲାବେଳେ ଭଞ୍ଜନଗର ଠାରେ ସମସ୍ତ ପ୍ରକାର ଭିତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଂଚିତ ହୋଇଛି। ଗଞ୍ଜାମ ଜିଲ୍ଲା ଏକ ବୃହତମ ଜିଲ୍ଲା ହୋଇଥିବାରୁ ଭଞ୍ଜନଗର ସୀମାନ୍ତ ଅଂଚଳର ଲୋକମାନେ ପ୍ରାୟ ୧୫୦ କିଲୋମିଟର ଦୂରରେ ରହି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ଆପଦ ବିପଦ କାଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଠିକ୍ ସମୟରେ ଜନସାଧାରଣଙ୍କ ନିକଟରେ ପହଂଚି ପାରୁନାହିଁ। ଭଞ୍ଜନଗର ଉପଖଣ୍ଡ ଅଂଚଳର ଭୌଗୋଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ସରକାର ଘୁମୁସର ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁନଥିଲେ।

ଠିକ୍‍ ସେହି ସମୟରେ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ଉପନିର୍ବାଚନ ସମୟରେ ୨୦୨୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ଏକ ବଡ଼ ଘୋଷଣା କରିଥିଲେ। ଏହାପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନେଇ ନୂତନ ଜିଲ୍ଲା ଗଠନ ପାଇଁ ରହିଥିବା ପୁରୁଣା ଦାବି ନେଇ ପୁଣି ସ୍ୱର ଉଠିଥିଲା। ତେଣୁ ଦୀର୍ଘ ୩୦ବର୍ଷ ଧରି ଘୁମୁସରବାସୀ ବିଭିନ୍ନ ସମୟରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍‌.ଏ.ସିକୁ ନେଇ ଘୁମୁସର ଜିଲ୍ଲା ନିମନ୍ତେ ପୁଣି ସରକାର ପାଖରେ ଦାବୀ ଉପସ୍ଥାପନ କରିଥିଲେ। ଏଥିରେ ମୁଖ୍ୟତଃ ଘୁମୁସର ଜିଲ୍ଲା ଆନ୍ଦୋଳନ ମିଳିତ କ୍ରିୟାନୁଷ୍ଠାନ କମିଟ, ଓକିଲ ସଂଘ, କବିସମ୍ରାଟ ମିଡ଼ିଆ କ୍ଳବ, ଘୁମୁସର ବାହିନୀ ସହିତ ଅନେକ ଅନୁଷ୍ଠାନ ଏଥିରେ ସାମିଲ ଥିଲେ। କିନ୍ତୁ ନୂତନ ଜିଲ୍ଲା ଗଠନ ସମ୍ପର୍କିତ ଏକ ମାମଲା ଉପରେ ହାଇକୋର୍ଟ ଶୁଣାଣି କରି କୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ ଉପରେ କଟକଣା ଜାରି କରିଥିଲେ। ଏହାପରେ ନୂତନ ଜିଲ୍ଲା ଗଠନ ଦାବି ଧିମେଇଯାଇଥିଲା। କିନ୍ତୁ ନୂଆ ସରକାର ଆସିବାର ଆଠମାସ ବିତିଯାଇଥିଲେ ମଧ୍ୟ ପୁଣି ଜିଲ୍ଲା ଦାବୀ କଥା ସମସ୍ତେ ଭୁଲି ଗଲେ। ତେବେ ବିଜେପି ସରକାର ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବ ବୋଲି ଘୁମୁସରବାସୀ ଆଶା ପ୍ରକାଶ କରିଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post