ଭଞ୍ଜନଗର ମୋ ନିୟୁଜ ଓଡିଶା : ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ୬ନଂ କ୍ୟାମ୍ପସରେ କାଦମ୍ବିନୀ ମିଡ଼ିଆ ଏବଂ କାଦମ୍ବିଦୀ ସାହିତ୍ୟ ଏକାଡ଼େମୀ ଦ୍ୱାରା ଆୟୋଜିତ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ସପ୍ତଦଶ କାଦମ୍ବିନୀ ପତ୍ରିକା ହାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ କବି ସୁରେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କବୀ ତଥା ଅନୁବାଦିକା ଶ୍ରୀମତୀ ଗିରିବାଳା ମହାନ୍ତି, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ, କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ ମଞ୍ଚାସୀନ ଥିଲେ। ଯୁବ କବିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କବିତା ପାଠୋତ୍ସବ ‘ତରୁଣ ୩୦’ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ‘ଓଡ଼ିଶାର ଓଡ଼ିଆ ପତ୍ରିକା’ର ୩ୟ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରକାଶଥାଉକି ଜିଲ୍ଲା ଅନୁସାରେ ସଜା ଯାଇଥିବା ଉକ୍ତ ପୁସ୍ତକରେ ୮୬୬ଟି ଦୈନିକ, ପାକ୍ଷିକ, ସାପ୍ତାହିକ, ମାସିକ, ତ୍ରୟମାସିକ ଓ ବାର୍ଷିକ ପତ୍ରପତ୍ରିକାର ଠିକଣା ସ୍ଥାନ ପାଇଛି। ଏହାର ସଂଗ୍ରାହକ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏବଂ ସହ-ସଂଗ୍ରାହକ ପ୍ରଭାତୀ ମଞ୍ଜରୀ ବେହେରା ଅଟନ୍ତି। ଏହି ପୁସ୍ତକଟି ସାହିତ୍ୟ ଓ ପତ୍ରପତ୍ରିକା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଉକ୍ତ ମଞ୍ଚରେ ଶିକ୍ଷୟିତ୍ରୀ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କ କବିତା ସଂକଳନ ‘ବିବିଧା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା