ଭଞ୍ଜନଗର :ମୋ ନିୟୁଜ ଓଡିଶା ସ୍ଥାନୀୟ ଚକରାବିଷୋୟୀ ଛକ ନିକଟ ଅଭୀସ୍ପା କଟେଜରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ଶୀତ କବିତା ଆସର ଓ ପୁସ୍ତକ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାମୀ ବିରଜାନନ୍ଦ ସରସ୍ୱତୀ ଏବଂ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ରାଜସ୍ୱ ବିଭାଗ କର୍ମଚାରୀ ମନମୋହନ ରଥ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଙ୍ଗୀତା ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ କବି ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ପୁସ୍ତକ ‘ମନ ସବୁଜ ନଈ’କୁ ସମୀକ୍ଷା କରିଥିଲେ ଅଧ୍ୟାପକ ତ୍ରିନାଥ ବେହେରା, ଶିକ୍ଷୟିତ୍ରୀ ଶୁଭସ୍ମିତା ଦାଶ, ଶିକ୍ଷକ ପ୍ରଭାତ କୁମାର ଆଚାର୍ଯ୍ୟ। ସେହିପରି କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ପୁସ୍ତକ ‘ତିନି ପାଦ ଭୂମି’ର ସମୀକ୍ଷା କରିଥିଲେ କବି ବିମ୍ବାଧର ଷଡ଼ଙ୍ଗୀ। ଏହି ଅବସରରେ ଦୁଇ ଜଣ ଯୁବ କବି ତଥା ଅଧ୍ୟାପକ ଦେବାଶିଷ ସ୍ୱାଇଁ ଏବଂ ଲୋକନାଥ ନାୟକଙ୍କୁ ଅନୁଷ୍ଠାନ ତରଫରୁ ‘ଲୋହରାଖଣ୍ଡି କବି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଅତିଥି ସ୍ୱାଗତ ଜଣାଇଥିବାବେଳେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏବଂ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶିଷ ସ୍ୱାଇଁ ପରିଚାଳନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଶୀତ ଉପରେ ଆଧାରିତ ୪୦ଜଣ ସାରସ୍ୱତ ସ୍ରଷ୍ଟା ନିଜ ନିଜର କବିତା ପାଠ କରିଥିଲେ। ଅଧ୍ୟାପକ ଲୋକନାଥ ନାୟକ ଏବଂ ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାର ପ୍ରଧାନ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଶେଷରେ ଅନୁଷ୍ଠାନର ସଦସ୍ୟ ଶ୍ୱେତସ୍ମିନି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


