ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମର ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ୨୫ବର୍ଷର ସରକାର ଲୋକମାନଙ୍କୁ ରୋଜଗାର ଯୋଗାଇ ଦେଇପାରିଲା ନାହିଁ। ଏପରିକି ମତ୍ସ୍ୟଜୀବି ମାନେ ମଧ୍ୟ ବର୍ତ୍ତମାନ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ନୂତନ ସରକାର ଉପରେ ଭରସା କରି ରହିଛନ୍ତି। ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ଜଳଭଣ୍ଡାର। ଜଳଭଣ୍ଡାର ଉପରେ ନିର୍ଭର ରହୁଥିବା ମତ୍ସ୍ୟଜୀବିମାନେ ଏବେ ଦୁର୍ଦ୍ଦିନରେ। ଜଳଭଣ୍ଡାରରେ ଦଳ ଓ ପଙ୍କ ଭର୍ତ୍ତି ହେବାରୁ ମାଛ ଆଉ ଜାଲରେ ପଡୁନି। ଫଳରେ ଦାଦନ ମୁହାଁ ଏବେ ମତ୍ସ୍ୟଜୀବି। ତେବେ ଡ଼୍ୟାମର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବି ଅନୁରୋଧ କରିଛନ୍ତି। ସୁଦୀର୍ଘ ଜଳ ରାଶି ଯୁଆଡେ ଦେଖିବେ ସିଆଡେ ପାଣି ହିଁ ପାଣି । ଦେଖିବାକୁ ଯେତେ ସୁନ୍ଦର ସେତେ ମନୋଲୋଭା। ଏହି ଡ୍ୟାମ୍ ଉପରେ ନିର୍ଭର କରନ୍ତି ଆଖପାଖ ଅଞ୍ଚଳ ର ଅନେକ ଲୋକ। କିଏ ପିଇବା ପାଣି ପାଇଁ ତ କିଏ ପରିବାର ପ୍ରତିପୋଷଣ ପାଇଁ... ଏହି ଡ୍ୟାମ୍ରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ଶହ ଶହ ମତ୍ସ୍ୟଜୀବି ... ସୋରଡ଼ା ଡ଼୍ୟାମରୁ ମିଳୁଥିବା ମାଛ ବି ବେଶ ସ୍ୱାଦିଷ୍ଟ ଓ ଏହାର ରହିଛି ନିଆରା ଚାହିଦା। ଏଣୁ ସୋରଡ଼ା ସମେତ ବୁଗୁଡ଼ା ବାଲିଘାଇ ଭଳି ଏକାଧିକ ଅଞ୍ଚଳର ମତ୍ସଜୀବୀ ଏଠାରୁ ଦୁଇ ପଇସା ରୋଜଗାର କରନ୍ତି। ହେଲେ ଏବେ ମତ୍ସଜୀବୀଙ୍କୁ ଘାରିଚି ଚିନ୍ତା । ଆଗଭଳି ଏ ଡ୍ୟାମ ରୁ ମାଛ ମିଳୁନି। ଫଳରେ ପରିବାର ଚଲାଇବା ସମ୍ଭବ ହେଉନାହିଁ। ଜଳଭଣ୍ଡାରର ଅବସ୍ଥା ଦେଖନ୍ତୁ... ଅପରିଷ୍କାର ପାଣି ସହ ଦଳ ପଙ୍କ ଭର୍ତ୍ତି ହୋଇ ରହିଛି । ଖାଲି ସେତିକି ନୁହେଁ, ଜଳଭଣ୍ଡାର ଅନେକ ଦିନ ହେଲା ପୁନରୁଦ୍ଧାର ହୋଇନି। ଏମିତି ଅନେକ ଡଙ୍ଗା କୂଳରେ ପଡ଼ି ପଡ଼ି ଖତ ହେଲାଣି । ଦିନ ଥିଲା ଡ୍ୟାମର ମାଛ ଧରି ବଜାରରେ ବିକ୍ରି କଲେ ୪୦୦ ରୁ ୫୦୦ ଟଙ୍କା ମିଳୁଥିଲା, ହେଲେ ଏବେ ଦିନକୁ ୫୦ ଟଙ୍କା ମଧ୍ୟ ରୋଜଗାର ହେଉନି। ଫଳରେ କୂଳ ବେଉସା ଛାଡ଼ି ଦାଦନ ମୁହାଁ ହେଉଛନ୍ତି ମତ୍ସ୍ୟଜୀବି। ଯଦି ଡ୍ୟାମକୁ ପୁନରୁଦ୍ଧାର କରାଯାଇଥାନ୍ତା ତାହେଲେ ଅନେକାଂଶରେ ମତ୍ସଜୀବୀଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


