ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି। ବିଶେଷ କରି ଯୁବ ଛାତ୍ରମାନେ ପ୍ରଭାବିତ ହେଉଥିବା ବେଳେ ଏଥିରେ ଆଖି ଦୃଶିଆ ରୋକ ଲଗାଇ ପାରୁନି ପୋଲିସ ଓ ଅବକାରୀ ବିଭାଗ।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରି ପଲ୍ଲୀ ଠାରେ ତିଆରି ହେଉଥିବା ଚୋରା ମଦ ଶାଳବଣ ପଟ ଦେଇ ଆସୁଛି ଏବଂ ବେଗୁନିଆପଡ଼ା ଅଞ୍ଚଳରେ ବ୍ଯାପକ ଭାବେ ଚାଲାଣ ହେଉଥିବା ବେଳେ ଗାଁ ଗାଁ ରେ ଚୋରାରେ ବିକ୍ରି ହେଉଛି। ସେହିପରି ବିରିଜାଇ ଠାରେ ପ୍ରସ୍ତୁତ ହେଉଥିବା ଚୋରା ମଦ କୁମାରୀପାରୀ, କୁମ୍ଭାର ଗାଁ ପଟୁ ଚୋରାରେ ଆସୁଥିବା ବେଳେ ବିଭିନ୍ନ ଗ୍ରାମରେ ବିକ୍ରି ହେଉଥିବା ସୂଚନା ମିଳିଛି।ଅଗାଁର ଗାଁ ଠାରୁ ଆରମ୍ଭ କରି କୁମ୍ଭାର ଗାଁ, ତାଳସର, ସୁମଣ୍ଡଳ, ବୁରୁଝୁରୀ, ଏସ୍ ଛଚିନା, ବେଗୁନିଆପଡ଼ା, ମର୍ଦକୋଟ, ମର୍ଦମେଖ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଧଡ଼କ ଭାବେ ବିକ୍ରୟ ହେଉଛି ଚୋରା ମଦ। ସଂଧ୍ୟା ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ମଦ କିଣିବା ପାଇଁ ଭିଡ଼ ଜମୁଥିବା ବେଳେ ଦିନରେ ଲୁଚାଛପାରେ ବିକ୍ରି ହେଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବା ବେଳେ ପୋଲିସ କିମ୍ବା ଅବକାରୀ ବିଭାଗ ଏହାକୁ ବନ୍ଦ କରି ପାରୁନି। ବେଳେ ବେଳେ ମଦ ଧରପଗଡ଼ କରି କାଁ ଭାଁ ସ୍ଥାନରୁ ଜବତ ହେଉଛି। ହାତ ଗଣତି କିଛି ଜଣକୁ ଗିରଫ କରାଯାଉଛି। ହେଲେ ସଂପୂର୍ଣ୍ଣ ଭାବେ ଚୋରା ମଦ ବନ୍ଦ କରିବାରେ ଫେଲ୍ ମାରିଛି ପୋଲିସ ଓ ଅବକାରୀ ବିଭାଗ ।ଗଞ୍ଜାମ ଜିଲ୍ଲାରେ ଏବେ ବିଶାକ୍ତ ମଦ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସରଗରମ୍ ହୋଇଥିବା ବେଳେ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଗାଁ ଗାଁ ରେ ଚୋରା ମଦ କାରବାର ବୃଦ୍ଧି ଯୋଗୁଁ ମଦମୃତ୍ୟୁ ଭୟ ମଧ୍ୟ ରହୁଛି। ଏନେଇ ବଡ଼ ଧରଣର କାର୍ଯ୍ଯାନୁଷ୍ଠାନ ନିଆ ନଗଲେ ଭବିଷ୍ୟତରେ କିଛି ଅଘଟଣକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବି କହିଛନ୍ତି।


