ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ଦାବିରେ ପୁଣି ତେଜିଲା ଆନ୍ଦୋଳନ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମକୁ ଶୀଘ୍ର ସମାପ୍ତ କରିବା ସହ ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ଗ୍ରୀନଫିଲ୍ଡ ବିମାନବନ୍ଦର ସ୍ଥାପନ ଦାବିରେ ପୁଣିଥରେ ଆନ୍ଦୋଳନ ଜୋର ଧରିଛି। ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣସଂଗଠନ ପକ୍ଷରୁ ଖଲ୍ଲିକୋଟ କଲେଜ ଷ୍ଟାଡିଅମ୍‌ରୁ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ପରେ ଆୟୋଜିତ ପ୍ରତିବାଦ ସଭାରେ ଏହି ଦାବିକୁ ତୀବ୍ର ଭାବେ ଉଠାଯାଇଥିଲା। ଏହି ଅବସରରେ ଫୋରମ୍ କାର୍ଯ୍ୟକର୍ତ୍ତାମାନେ ଖଲ୍ଲିକୋଟ କଲେଜ ଛକରେ ପଥପ୍ରାନ୍ତ ସଭା ଓ ପ୍ରଦର୍ଶନ କରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ପୂର୍ବରୁ ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ରଙ୍ଗେଇଲୁଣ୍ଡା ବିମାନବନ୍ଦର କାମରେ ଆଶାଜନକ ପ୍ରଗତି ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବିଡିଓଙ୍କ ଅବହେଳା ଓ ଅସହଯୋଗ କାରଣରୁ ବିମାନବନ୍ଦର ଅଞ୍ଚଳରେ ଥିବା ୨0ଟି ପରିବାରକୁ ଦୁଇ ବର୍ଷ ହେଉଥିଲେ ମଧ୍ୟ ସ୍ଥାନାନ୍ତର କରାଯାଇପାରିନାହିଁ।

ଫୋରମ୍ ଅଭିଯୋଗ କରିଛି ଯେ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପରିବହନ ବିଭାଗର ଅବହେଳା କାରଣରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦରର ସ୍ୱପ୍ନ ଏପର୍ଯ୍ୟନ୍ତ ସାକାର ହୋଇପାରୁନାହିଁ।

ଗତ ବର୍ଷ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରନୱେ ସମ୍ପ୍ରସାରଣ, ବିମାନବନ୍ଦର ଅଞ୍ଚଳର ଘର ସ୍ଥାନାନ୍ତର, ଆଲୋକୀକରଣ ଓ ଏଟିସି ଟାୱାର ନିର୍ମାଣ ଭଳି ଅନେକ କାର୍ଯ୍ୟ 2024 ଡିସେମ୍ବର ସୁଦ୍ଧା ସାରିବା ପାଇଁ କୁହାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଫୋରମ୍ କାର୍ଯ୍ୟକର୍ତ୍ତାମାନେ କହିଥିଲେ ଯେ, ରଙ୍ଗେଇଲୁଣ୍ଡା ବିମାନବନ୍ଦର ଗଞ୍ଜାମ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ। ବିଭିନ୍ନ ବିଭାଗର ଅବହେଳା ଯୋଗୁ କାର୍ଯ୍ୟ ବିଳମ୍ବିତ ହେଉଥିବା ଯୋଗୁ କାର୍ଯ୍ୟକର୍ତ୍ତା ମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଆଉ କେତେଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନବନ୍ଦର ନାଁରେ ଗଞ୍ଜାମବାସୀଙ୍କୁ କେବଳ ଲଲିପପ ଦିଆଯିବ? ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ସଭାରେ ବ୍ରହ୍ମପୁରରୁ ତୁରନ୍ତ ନିୟମିତ ସ୍କେଡ୍ୟୁଲ୍ ବିମାନ ସେବା ଆରମ୍ଭ କରିବା, ଅନଲାଇନ୍ ଟିକେଟ ବୁକିଂ ବ୍ୟବସ୍ଥା କରିବା ଏବଂ କଲକାତା, ହାଇଦ୍ରାବାଦ, ବିଶାଖାପାଟଣମ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ ଓ ଅହମଦାବାଦ ଭଳି ପ୍ରମୁଖ ସହରକୁ ବିମାନ ସଂଯୋଗ ଦେବାକୁ ଦାବି କରାଯାଇଥିଲା। ସେହିପରି କଲକାତା, ଭୁବନେଶ୍ୱର ଓ ବିଶାଖାପାଟଣମ ମଧ୍ୟରେ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଚିବ ଭି. ସୋମେଶ୍ୱର ରାଓ, ପ୍ରୀତିଶ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ପ୍ରବୀଣ ପଟ୍ଟନାୟକ, ସହ-ସଚିବ ମାନସ ରଞ୍ଜନ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ଓ ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ଭଜାନୀ, SOSA ସଭାପତି ଏନ୍‌. ନୀଳମାଧବ ପାତ୍ର, ହରି ଲାଫିଙ୍ଗ ଯୋଗ କ୍ଲବର ସଦସ୍ୟମାନେ ଯଥା ଜେ. ସୂର୍ଯ୍ୟନାରାୟଣ, ବି. ୱେଙ୍କଟ, ଏସ୍. ସତ୍ୟନାରାୟଣ, ଏସ୍. ନାଗେଶ୍ୱର, ଭି. ପଦ୍ମନାଭ ରାଓ, ମନୋଜ ପାତ୍ର, ମୋହନ ରାଓ (ସମାଜସେବୀ), 

ଲେଡିଜ୍ ୱାକର୍ ଗ୍ରୁପ୍,

 ମାରୱାଡ଼ି ଗ୍ରୁପ୍ ସହ ବହୁ କାର୍ଯ୍ୟକର୍ତ୍ତା ଓ ସଂଗଠନ ଉପସ୍ଥିତ ଥିଲେ।

Post a Comment

Previous Post Next Post