ସାହିତ୍ୟିକ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ମିଳିଲା ଇଂ. ରଜନୀକାନ୍ତ ପଣ୍ଡା ସ୍ମୃତି ସମ୍ମାନ

 


ଭଞ୍ଜନଗର  : ବ୍ରହ୍ମପୁରସ୍ଥିତ କଳିଙ୍ଗ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ତ୍ରିଧାରା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସାହିତ୍ୟିକ, ପ୍ରକାଶକ, ସମାଜସେବୀ, ସାମ୍ବାଦିକ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ମିଳିଲା ଇଂ ରଜନୀକାନ୍ତ ପଣ୍ଡା ସ୍ମୃତି ସମ୍ମାନ। ଡକ୍ଟର ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ୍ୟୋତିବିହାରର ଗଣିତ ବିଭାଗ ପ୍ରଫେସର ଡ. ଅରୁଣ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସମାଜର ମୁଦ୍ରାକାର, ପ୍ରକାଶକ ତଥା ସମ୍ପାଦକ ଲୋକସେବକ ମଣ୍ଡଳର ରାଜେନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଭାବେ ଥିଲେ ସାହିତ୍ୟିକ, ଶିକ୍ଷାବିତ୍‍ ଓ ସଂଗଠକ ଡ଼. ଇଂ ସଞ୍ଜୟ କୁମାର ପଣ୍ଡା ଥିବାବେଳେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଡ଼. ଲକ୍ଷ୍ମୀ ନାରାୟଣ ଦାଶ। ଏହି ଅବସରରେ ଅନ୍ୟ ଛଅ ଜଣ ସାହିତ୍ୟିକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ପ୍ରକାଶଥାଉକି ୧୯୯୯ ମସିହାରେ ଶ୍ରୀଯୁକ୍ତ ବେବର୍ତ୍ତାଙ୍କ ପ୍ରଥମ କବିତା କଲେଜ ମ୍ୟାଗାଜିନ୍ ପ୍ରକାଶ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ୨୦୦ରୁ ଅଧିକ କବିତା, ପ୍ରବନ୍ଧ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହିତ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ୨୦୦୨ ମସିହାରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପ୍ରତିଷ୍ଠା କରି ପତ୍ରିକା ପ୍ରକାଶ କରିବା ସହିତ ପ୍ରକାଶନ ସଂସ୍ଥା ଭାବେ ୩୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କରିଛନ୍ତି। ତାଙ୍କର ପ୍ରଥମ କବିତା ସଂକଳନ ‘ବର୍ଣ୍ଣିଳ ସ୍ଥାପତ୍ୟ’ ଏବଂ ଦ୍ୱିତୀୟ ଶିଶୁ କିଶୋର (ବିଜ୍ଞାନଧର୍ମୀ) ପୁସ୍ତକ ‘ଆମ ପରିବେଶ’ ପ୍ରକାଶିତ ହୋଇ ପାଠକ ସ୍ୱୀକୃତି ଲାଭ କରିଛି। ଏହି ଅବସରରେ ଅନେକ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀଯୁକ୍ତ ବେବର୍ତ୍ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Post a Comment

Previous Post Next Post