ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗଞ୍ଜାମ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ହେଉଛନ୍ତି ସମାଜର ମେରୁଦଣ୍ଡ ଏବଂ ସମାଜ ଗଠନରେ ଶିକ୍ଷକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ୬୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସ୍ୱରୂପ ସ୍ମୃତି ଫଳ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାର ଅଜୟ କୁମାର ପାତ୍ର ସଭାରେ ଅଧ୍ୟକ୍ଷତା କରିଥିବା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତି ମହାପାତ୍ର ଓ ବସନ୍ତ କୁମାର ପଣ୍ଡା ଏବଂ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଲକର ଉଚ୍ଚ ବିଦ୍ୟାଳୟର ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିଲା। ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ବିଷ୍ଣୁପ୍ରିୟା ପତିଙ୍କୁ ଓଡ଼ିଆ ଭାଷା, ଉପନ୍ଦ୍ରେ ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଇଂରାଜୀ ଭାଷା ଏବଂ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ହୃଷୀକେଶ ନାୟକଙ୍କୁ ହିନ୍ଦୀ ଭାଷା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପ୍ରାଥମିକ ବିଦ୍ୟାଳୟସ୍ତରରେ ଗୋପିନାଥପୁର ପ୍ରାଥମିକ ବିଦ୍ୟାଳୟର ଭିକାରୀ ଚରଣ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।


