ଓକିଲଙ୍କୁ ଦୁର୍ବୁତ୍ତ ଓ ମନ୍ତ୍ରୀଙ୍କୁ ଅପରାଧୀଙ୍କ ମୁଖ୍ୟ କହିବା ବିଜେଡ଼ି ନେତାଙ୍କ ଦେବାଳିଆ ସ୍ଥିତିକୁ ଜଣାଉଛି : ବିଜେପି

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଓଡ଼ିଶାକୁ ପ୍ରତାରଣା ଦେଇଥିବା ବିଜୁ ଜନତା ଦଳ ସରକାର ଲୋକଙ୍କ ଦ୍ୱାରା ଗାଦିଚ୍ୟୁତ ହେବାପରେ କିଭଳି ଭାବରେ ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ କୁତ୍ସିତ ରାଜନୀତି କରିବା ସହ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବ୍ୟବହାର କରୁଛି ତାହାକୁ ଲୋକଲୋଚନକୁ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ "ସାମ୍ବାଦିକ ସମ୍ମିଳନୀ" ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସାମ୍ବାଦିକ ସମ୍ମିଳନୀରେ" ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବିଜେପି ନେତା ତଥା ବରିଷ୍ଠ ଆଇନଜିବୀ ପୀତବାସ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ଗତ ୨୯ ତାରିଖ ଦିନ ଗୋଳନ୍ଥରା ଚଟି ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣାକୁ ବିଜୁ ଜନତା ଦଳର ନେତା ଭୃଗୁ ବକ୍ସିପାତ୍ର ଓ ଲେଲିନ ମହାନ୍ତି ଯେଉଁପରି ଭାବରେ ତାକୁ ଅତି ରଞ୍ଜିତ କରି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଛି, ମନ୍ତ୍ରୀଙ୍କୁ ଏହି ଘଟଣାରେ ଟାଣି ଓଟାରି ସଂପୃକ୍ତ କରିବା ଓ ଦୁଇ ଯୁବ ଆଇନଜୀବୀଙ୍କୁ ଦୁର୍ବୁତ୍ତ ବୋଲି ଗତକାଲିର "ସାମ୍ବାଦିକ ସମ୍ମିଳନୀରେ" କହିବା ବିଜୁ ଜନତା ଦଳର ରାଜନୈତିକ ଦେବାଳିଆ ପଣକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଗତ ଜୁଲାଇ ୨୯ ତାରିଖ ଅପରାହ୍ନ ୪ ଘଣ୍ଟ ସମୟରେ ଏକ କାର୍ ଅତି ଦୃତ ଗତିରେ ଆଇନଜୀବୀ ଅଜିତ୍ କରଙ୍କ ମାଁ, ଯିଏ କି ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିଲେ ତାଙ୍କ ଉପରକୁ ମାଡ଼ି ଆସିବାରୁ ସେ ଉକ୍ତ କାର୍ ଧକ୍କାରେ ଛିଟିକି ପଡିଗଲେ । ଏହି ଘଟଣାକୁ ନେଇ ଆଇନଜୀବୀ ଅଜିତ୍ କର ଓ ତାଙ୍କ ମାଁ ନନ୍ଦିନୀ କର ପ୍ରତିବାଦ କରିବାରୁ କାର୍ ରେ ବସିଥିବା ଚାରି ଜଣ ବ୍ୟକ୍ତି ଓ ପଛରେ ଅନ୍ୟ ଏକ କାର୍ ରେ ବସିଥ‌ିବା ଛଅ ଜଣ ମହିଳା ମିଶି ଆଇନଜୀବି ଅଜିତ୍ କର ଓ ତାଙ୍କ ମାଁଙ୍କୁ ଆକ୍ରମଣ କରିଥିଲେ, ଯାହାକି ସ୍ଥାନୀୟ ଗୋଳନ୍ଥରା ଥାନାରେ ଏତଲା ମଧ୍ୟ ହୋଇଛି । ଘଟଣାର ପରବର୍ତି ପର୍ଯ୍ୟାୟରେ ସ୍ଥାନୀୟ ଓ ରାସ୍ତାରେ ଯାଉ ଥିବା ଲୋକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ । ଯାହା ଫଳରେ ଜଣେ ଯୁବକ ଆହତ ହୋଇଥିବା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ବିଜୁ ଜନତା ଦଳର ନେତା ମାନେ ଯେଉଁ ପରି ଶବ୍ଦ ଓ ଭଙ୍ଗୀ ପ୍ରଦଶର୍ନ କରୁଛନ୍ତି ତାହା ଓଡ଼ିଶା ଲୋକ ତଥା ଆମ ଜିଲ୍ଲାବାସୀ ଭଲ ଭାବରେ ଜାଣିଛନ୍ତି । ଅପରାଧୀଙ୍କୁ ଗତ ଚବିଶ ବର୍ଷ ଧରି ଯେଉଁ ମାନେ ସୁରକ୍ଷା ଦେଇଥିଲେ, ଗତ ନିର୍ବାଚନ ସମୟରେ ରକ୍ତମୁଖା ହୋଇ ବିଜେପି କର୍ମୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଜିଲ୍ଲାବାସୀ ଭୁଲି ନାହାଁନ୍ତି । ଲୋଚାପଡ଼ା, ହୁଗୁଳାପଟା, କନିସି, ଗୋଳନ୍ଥରା ଗାଁ ମାନଙ୍କରେ ସଶସ୍ତ୍ର ବିଜେଡ଼ି ନେତା ଓ କର୍ମୀ ମାନଙ୍କର ଆକ୍ରମଣ ଘଟଣା ଗୋପାଳପୁରବାସୀ ତଥା ଜିଲ୍ଲାବାସୀ ମାନେ ରଖିଛନ୍ତି । ଏହି ପରୀପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀଙ୍କ ଉପରେ ଯେଉଁ କଟୁ ମନ୍ତବ୍ୟ ବିଜେଡ଼ି ନେତା ମାନେ ଦେଇଛନ୍ତି ତାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ମାନ୍ୟବର ମନ୍ତ୍ରୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ କେବେ ମଧ୍ୟ ଅପରାଧିଙ୍କୁ ପ୍ରଶୟ ଦେବାର ନଜିର ନାହିଁ । ସୂର୍ଯ୍ୟ ଯେପରି ସ୍ବଚ୍ଚ ଓ ନିର୍ମଳ, ମାନ୍ୟବର ମନ୍ତ୍ରୀ ସେହିପରି ସ୍ବଚ୍ଚ ନିର୍ମଳ । ରାଜ୍ୟରେ ମୋହନ ମାଝୀ ସରକାରଙ୍କ ଜନମୁଖି କାର୍ଯ୍ୟକୁ ସହ୍ୟ ନ କରି ପାରି ଓ ଗତ ନିର୍ବାଚନରେ ପରାଜୟର ଗ୍ଲାନିକୁ ଭୁଲି ନ ପାରି ବିଜୁ ଜନତା ଦଳର ନେତା ମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବରିଷ୍ଠ ନେତା ପୀତବାସ ପଣ୍ଡା କହିଛନ୍ତି । ଏହା ସହ କିଛି ଘଟଣାକୁ ଅତିରଞ୍ଜିତ କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବାକୁ ବିଜେଡ଼ି ନେତା ଚେଷ୍ଟା କରୁଛନ୍ତି, ସେମାନେ ଏଥିରେ କେବେ ହେଲେ ସଫଳ ହେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଜିଲ୍ଲାବାସୀ ତଥା ଓଡ଼ିଶାବାସୀ ବିଜୁ ଜନତା ଦଳର ଚବିଶ ବର୍ଷର କଳଙ୍କିତ ଅଧ୍ୟାୟ କେବେ ମଧ୍ଯ ଭୁଲି ପାରିବେ ନାହିଁ । ଅତଏବ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି ଓ ଅପପ୍ରଚାର କରିବାକୁ ଚେଷ୍ଟା କରୁଥିବା ବିଜୁ ଜନତା ଦଳ କେବେ ମଧ୍ୟ ସଫଳ ହେବ ନାହିଁ ବୋଲି ଜିଲ୍ଲା ସଭାପତି ସରୋଜ ସାବତ କହିଛନ୍ତି । ନିଜ ପାଖରେ କୌଣସି ତଥ୍ୟ ଏବଂ ସତ୍ୟତା ନଥାଇ ବିଜୁ ଜନତା ଦଳର ନେତା ମାନେ ଗତକାଲି "ସାମ୍ବାଦିକ ସମ୍ମଳନୀରେ" କହିଲେ ଯେ ବ୍ରହ୍ମପୁରର ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଆକ୍ରମଣ ହୋଇଛି, ଯାହା ସମ୍ପୂର୍ଣ ମିଥ୍ୟା ଅଟେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆହତ ଯୁବକ ଜଣଙ୍କ ଆଇନଜୀବି ନୁହଁନ୍ତି । ଏହିପରିକି ଗୋଳନ୍ଥରା  ସ୍ଥିତ ବନ୍ଦେ ମାତରଂ ଭବନ ନିକଟରେ ଗଣ୍ଡଗୋଳ ହୋଇଥିବା ଘଟଣା ମଧ୍ଯ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଏବଂ ଗଞ୍ଜାମ ଓକିଲ ସଂଘ ଅଭିଯୁକ୍ତ ମାନଙ୍କ ପାଇଁ ନ ଲଢ଼ିବା କଥା ଯେଉଁ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍ ନୋଟରେ କୁହା ଯାଇଛି ସେଥିରେ ମଧ୍ୟ କୌଣସି ସତ୍ୟତା ନାହିଁ ବରଂ ଏହି ଘଟଣାରେ ଦୁଇ ଜଣ ଯୁବ ଆଇନଜୀବୀଙ୍କୁ ମିଥ୍ୟାରେ ସଂପୃକ୍ତି କରାଯାଇଛି । ବିଜୁ ଜନତା ଦଳ ତାଙ୍କ ନିଜର ଅନ୍ତର୍କଦଳ ଲୁଚାଇବାକୁ ଯାଇ ଏଭଳି ମିଥ୍ୟା ଆରୋପ କରୁଛି । ଏଣୁ ବିଜୁ ଜନତା ଦଳର ନେତା ମାନେ ସତ୍ୟକୁ କେତେ ବିଦ୍ରୁପ କଲେ ମଧ୍ୟ ଏଥିରେ ସଫଳ ହୋଇପାରିବେ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି କହିଛନ୍ତି । ଆଜିର ଏହି "ସାମ୍ବାଦିକ ସମ୍ମିଳନୀକୁ' ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post