ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ରେରଣା ହିଲ୍‌ ପାଟଣା ସ୍ଥିତ ସହିଦ୍‌ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ରେ ଅନୁଷ୍ଠିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ରବିବାର ଅପରାହ୍ନରେ ଆର୍ଯ୍ୟଭଟ୍ଟ ପ୍ରେରଣା ହିଲ୍‌ ପାଟଣା ସ୍ଥିତ ସହିଦ୍‌ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏହି ବର୍ଷ ବିଭିନ୍ନ ରାଷ୍ଟ୍ରୀୟ ସ୍ଥରର ପ୍ରବେଶିକା ପରୀକ୍ଷା ଯଥା ଆଇ.ଆଇ.ଟି, ଏନ୍.ଆଇ.ଟି, ମେଡିକାଲ୍, ଆଇଜର, , ଆଇ.ଏସ୍.ଆଇ ଇତ୍ୟାଦି ପରୀକ୍ଷାରେ ସଫଳ ହୋଇପାରିଥିବା ଆର୍ଯ୍ୟଭଟ୍ଟ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଫଳ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ଅନୁଭୂତି ଓ ପ୍ରସ୍ତୁତି ଆଗାମୀ ବର୍ଷର ପରୀକ୍ଷାର୍ଥୀ ମାନଙ୍କୁ ପଥ ପ୍ରଦର୍ଶକ ତଥା ପ୍ରେରଣା ଯୋଗାଇବା ପାଇଁ ଆର୍ଯ୍ୟଭଟ୍ଟ ପ୍ରେରଣା ପ୍ରତିବର୍ଷ ଅନୁଷ୍ଠିତ ହୁଏ।

ଆଜିର କାର୍ଯ୍ୟକ୍ରମରେ ଜେଇଇ ମେନ୍ ବି.ଆର୍କ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀଅଙ୍କା ପଟ୍ଟନାୟକ,ଆଇ.ଏସ.ଆଇ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ଥରରେ ନବମ ସ୍ଥାନ ଅଧିକାର କରିଥିବା ସ୍ନେହମୟୀ ସାହୁ ଓ ଆଇଜର ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ଥରରେ ୭୪ ତମ ସ୍ଥାନ ଅଧିକାର କରିଥିବା ମୁସ୍କାନ ପଟ୍ଟନାୟକଙ୍କ ସମେତ ଆଇ.ଆଇ.ଟି ଆଡ଼ଭାନ୍ସ ରେ ସଫଳ ୩ ଜଣ, ମେଇନ୍‌ସ୍‌ ରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ନିଟରେ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଆବଶ୍ୟକୀୟ ରେଙ୍କ ରଖିଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କାଯାଇଥିଲା । କାର୍ଯ୍ୟକ୍ରମ ଉପସ୍ଥିତ ମାତୃଶକ୍ତିଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ଠାରେ ପ୍ରଦୀପ ପ୍ରଜ୍ବଳନରେ ଆରମ୍ଭ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ଅବନୀ ମିଶ୍ର ଯୋଗ ଦେଇ ଦାରିଦ୍ର୍ୟର ତାଡନା ସତ୍ତ୍ୱେ ମେଡିକାଲ ପ୍ରବେଶିକା ରେ କୃତିତ୍ଵ ହାସଲ କରିବା ଓ ଅଧ୍ୟୟନ କରିବା ନିଜ ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ।ପ୍ରତିକୂଳ ପରିସ୍ଥିତ କୁ ଡରି ନଯାଇ ସଂଘର୍ଷ କରିବାରେହିଁ ଅସଲ ପୌରୁଷ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ଓ ୨୦୨୨ ରେ ନିଟରେ ଓଡ଼ିଶାରେ ପ୍ରଥମ ସ୍ଥାନ ରଖିଥିବା ଅମ୍ଳାନ ଅଂଶୁମତଙ୍କ ବାପା ଡ. ପିତବାସ ସାହୁ ନିଜ ପୁଅର ପ୍ରସ୍ତୁତି ଏବଂ ସେ ସମୟରେ ତାଙ୍କର କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରିବା ସହ ପିଲାଙ୍କ ପ୍ରସ୍ତୁତିରେ ପିତାମାତାଙ୍କ କରଣୀୟ ଓ କର୍ତବ୍ୟ ଜନିତ ଯୋଗଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଭାପତିତ୍ଵ କରୁଥିବା ଅନୁଷ୍ଠାନ ମୂଖ୍ୟ ସୁଧୀର ରାଉତ ଯୁବ ଗୋଷ୍ଠୀ ଓ ଅଭିଭାବକଙ୍କ ଭିତରେ କ୍ୟାରିଅର ନେଇ  ଅତିଶୟ ଆତୁରତା ତାଙ୍କ ପରିବାର, ସମାଜ ସର୍ବୋପରି ନିଜର କ୍ଷତି ହିଁ କରିଥାଏ ବୋଲି ଉଦାହରଣ ସହ ବୁଝାଇଥିଲେ। ସମାଜକୁ ଛାଡ଼ି ସଫଳତାର କିଛି ଅର୍ଥହିଁ ନଥାଏ । *ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ବଳିଷ୍ଠ ଚରିତ୍ର ଗଠନ କରେ । ବଳିଷ୍ଠ ଚରିତ୍ର ସୁସ୍ଥ ପରିବାର ତଥା ସମାଜ ଗଠନରେ ପ୍ରମୁଖ ଭୂମିକା ସମ୍ପାଦନ କରିଥାଏ । ଏହି ଅବସରରେ ସଫଳ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଆମେରିକା ସରକାରରେ ଉଚ୍ଚପଦସ୍ଥ ଜଣେ ପ୍ରାକ୍ତନ ଆର୍ଯ୍ୟଭଟ୍ଟ ଛାତ୍ରଙ୍କ ବାପା ଭୀମସେନ ସାହୁ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ର ବରିଷ୍ଠ ସେଛାସେବୀ ତଥା ଶିକ୍ଷାବିତ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସମ୍ବର୍ଦ୍ଧନା ପରେ ଅନୁଷ୍ଠାନ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନ କର୍ମକର୍ତ୍ତା ସୁଶାନ୍ତ ମହାନ୍ତି, ଶୁଭେନ୍ଦୁ ପାତ୍ର, ଭୀମ ରାଜୁ ପାତ୍ର, ମାଧବ ନାୟକ ପ୍ରମୁଖ ପରିଚାଳନା କରିଥିଲା ।

Post a Comment

Previous Post Next Post