ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ବିଜ୍ଞାନ ଯୁଗରେ ସବୁକଥା ମଣିଷ କରିପାରିଛି, କିନ୍ତୁୁ ରକ୍ତ ତିଆରି କାରଖାନା କରିପାରିନାହିଁ। ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି, ସେ ରକ୍ତ ପାଇଁ ଆଉ ଜଣଙ୍କ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି। ଅନେକ ରକ୍ତହୀନତା ରୋଗୀ ରକ୍ତ ନା ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏହି ବିକଳ୍ପ ବିହୀନ ରକ୍ତ ଅଭାବ ଆମ ମାନଙ୍କ ମହୁମୂଲ୍ୟ ରକ୍ତଦାନ ଦ୍ୱାରା ହିଁ ପୂରଣ ହୋଇପାରିବ। ଅନେକ ସମୟରେ ବିଭିନ୍ନ ସଂଗଠନ ଦ୍ୱାରା ଆୟୋଜିତ ଶିବିର ମାଧ୍ୟମରେ ଯେଉଁ ରକ୍ତ ସଂଗ୍ରହ ହେଉଛି ତାହା ସମୁଦ୍ରକୁ ଶଙ୍ଖେ ପରି ହେଉଛି। କିନ୍ତୁ ଭଞ୍ଜନଗରସ୍ଥିତ କବିସମ୍ରାଟ ମିଡ଼ିଆ କ୍ଲବ ରକ୍ତ ସଂଗ୍ରହ କ୍ଷେତ୍ରରେ ସବୁବେଳେ ଆଖି ଦୃଶିଆ ହୋଇରହିଛି। ଏହିପରିପ୍ରେକ୍ଷୀରେ ଭଞ୍ଜନଗରସ୍ଥିତ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ଆସନ୍ତା ୨୭ ତାରିଖ ରବିବାର ଦିନ ସକାଳ ୮ଘଣ୍ଟ ଠାରୁ ଅପରାହ୍ନ ୨ଘଣ୍ଟ ପର୍ଯ୍ୟନ୍ତ ଭଞ୍ଜନଗର ପାତ୍ରକଲୋନୀସ୍ଥିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ଓ ରିସଟ୍ ଠାରେ ଏକ ବିଶାଳ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୨୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରକ୍ତଦାତା ହେଉଛନ୍ତି ଈଶ୍ୱର। ତେଣୁ ପ୍ରତ୍ୟେକ ରକ୍ତଦାତାମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର, ଟ୍ରଫି, ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବା ସହିତ ମହିଳା ଏବଂ ପ୍ରଥମଥର ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ନଗରପାଳ, ଉପ-ଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ୱୟ ଶିଶୁ ବିକାଶ ଅଧିକାରୀ, ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ଅନେକ ଯୁବ ସମାଜସେବୀ ଉପସ୍ଥିତ ରହିବାର ଯୋଜନା ରହିଛି। ବୈଠକରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ରକ୍ତଦାନ ଶିବିର ପାଇଁ ସମସ୍ତ ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ। ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସମୀର କୁମାର ମହାପାତ୍ର, ସହ ସମ୍ପାଦକ ରଞ୍ଜିତ କୁମାର ଜେନା, ଆଶିଷ କୁମାର ଗୌଡ଼, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ସମେତ ସମସ୍ତ ବ୍ଲକର ସଂଯୋଜକ ଏବଂ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
Tags:
ଆଞ୍ଚଳିକ