ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଇଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ଫୁଟ୍ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି। ଶନିବାର ଦିନ ତମାମ ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଗଦଳା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇଟି ପଞ୍ଚାୟତ କଣ୍ଡରାପଶି ଏବଂ ପର୍ଜନପୁର ମୁଖ୍ୟାଳୟକୁ ଯୋଡ଼ୁଥିବା ରାସ୍ତାରେ ଯୋଗାଯୋଗ ଏକଦମ୍ ଠପ୍ ହୋଇପଡ଼ିଛି। ରବିବାର ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର କମିନଥିବାରୁ ଉଭୟପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ସତୀକୁଦର-କଣ୍ଡରାପଶି ରାସ୍ତାର ଜଗଦଳା ପୋଲ,ଦେଉଳଡିହା-ସତୀକୁଦର ରାସ୍ତା, ପାଟୁଙ୍ଗ-ପର୍ଜନପୁର ରାସ୍ତା ଉପରେ ୩ଫୁଟ୍ ଉଚ୍ଚର ବର୍ଷାଜଳ ପ୍ରବାହିତ ହୋଇ ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା। ତେବେ କଣ୍ଡରାପଶି ଠାରୁ ନଇଗାଁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷାଯୋଗୁଁ ଶୋଚନୀୟ ହୋଇପଡ଼ିଛି। ବଢ଼ିପାଣି ଯୋଗୁଁ ରାସ୍ତା ଧୋଇ ହୋଇଯାଇଥିବାରୁ ଜଗଦଳା ପୋଲ ନିକଟରେ ବିରାଟ ଗର୍ତ୍ତ ସୃଷ୍ଟିହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି।ତେବେ ପୂର୍ବ ସରକାର ଅମଳରେ ଏଠାରେ ଆରମ୍ଭ କରାଯାଇଥିବା ପୋଲର ନିର୍ମାଣ କାର୍ଯ୍ୟ ଏକବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏହା ବର୍ତ୍ତମାନର ବିଜେପି ସରକାର କେବେ ସମ୍ପୂର୍ଣ୍ଣ କରୁଛି ତାହା ଦେଖିବାକୁ ବାକି ରହିଲା।
Tags:
ଆଞ୍ଚଳିକ