ଯମଯନ୍ତ୍ରଣା ଦେଉଛି ପର୍ଜନପୁର ଷ୍ଟେସନ ରାସ୍ତା


କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନଇଗାଁ ଗ୍ରାମଠାରୁ ପର୍ଜନପୁର ରେଳଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।ଉକ୍ତ ରାସ୍ତା ଉପରେ ଆଖପାଖ ଅଞ୍ଚଳର ଶହଶହ ଲୋକ ନିର୍ଭର କରିଥାନ୍ତି।ନିକଟରେ ପର୍ଜନପୁର ରେଳଷ୍ଟେସନ ଥିବାବେଳେ ଦୂରଦୁରାନ୍ତରୁ ଦୈନିକ ଯାତ୍ରୀ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି।ସେହିପରି ନିକଟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ସ୍କୁଲ୍,ବସଷ୍ଟାଣ୍ଡ,ସ୍ୱାସ୍ଥ୍ୟକେନ୍ଦ୍ର,ଜନସେବା କେନ୍ଦ୍ର,ପୋଷ୍ଟ ଅଫିସ୍ ଆଦି ରହିଥିବାରୁ ଜନସାଧାରଣ ଉକ୍ତ ରାସ୍ତାକୁ ବ୍ୟବହାର କରିଥାନ୍ତି। ଚାଷୀମାନେ ସେମାନଙ୍କ ପରିବାପତ୍ର ତଥା ଅନ୍ୟାନ୍ୟ ସାମଗ୍ରୀ ବଜାରକୁ ବିକ୍ରି କରିବାକୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଉକ୍ତ ରାସ୍ତାଟି ସ୍ଥାନୀୟ ଅଞ୍ଚଳର ଲାଇଫ ଲାଇନ ସଦୃଶ।ତେବେ ରାସ୍ତାଟି ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି।ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣିଜମି ପୋଖରୀର ଭ୍ରମସୃଷ୍ଟି କରେ। ଏକ କିଲୋମିଟର ପାଖାପାଖି ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଥିବା ବେଳେ ସେଥିରେ କାଦୁଅ ମିଶା ନାଲିପାଣି ଜମିରହୁଛି। ଫଳରେ ଗାଡ଼ିମଟର ଠାରୁ ଆରମ୍ଭ କରି ପଥଚାରୀମାନେ ଉକ୍ତ ରାସ୍ତାରେ ଯିବାଆସିବା ବେଳେ ଖୁବ୍ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।


ରେଳବାଇ ଅଧୀନରେ ଉକ୍ତ ରାସ୍ତା ରହିଥିବା ବେଳେ ଦୁଇବର୍ଷ ପୂର୍ବେ ପିଚୁ କାର୍ଯ୍ୟ ହୋଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ହେତୁ ଖୁବ୍ କମ୍ ଦିନରେ ପିଚୁ ଉଠି ଖାଲଖମାରେ ପରିଣତ ହୋଇଗଲା। ଫଳରେ ସେବେଠାରୁ ଉକ୍ତ ରାସ୍ତା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ନର୍କକୁଣ୍ଡ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ।ଏସବୁ ସତ୍ତ୍ୱେ ରେଳବାଇ ପକ୍ଷରୁ ରାସ୍ତାଟିର ମରାମତି କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ସ୍ଥାନୀୟ ଅଞ୍ଚଳର ଏହା ଏକ ଦୈନନ୍ଦିନ ଯାତାୟାତ ରାସ୍ତା ହୋଇଥିବାରୁ ଉକ୍ତ ରାସ୍ତାର ମରାମତି ଅତି ଆବଶ୍ୟକ ହୋଇପଡ଼ିଛି। ଅନ୍ୟପଟେ ରେଳଷ୍ଟେସନକୁ ନିୟମିତ ଭାବେ ଏହି ରାସ୍ତାରେ ଦୈନିକ ଶହଶହ ଯାତ୍ରୀ  ଯିବାଆସିବା କରୁଥିବା ବେଳେ ରାସ୍ତାଟି ମରଣଯନ୍ତା ପାଲଟିଥିବାରୁ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ରେଳବାଇ ପ୍ରଶାସନ ଏହି ରାସ୍ତାର ଉନ୍ନତିକରଣ କେବେ କରୁଛି ତାହା ଦେଖିବାକୁ ବାକି ରହିଲା।



Post a Comment

Previous Post Next Post