ଗୋପାଳପୁର ଗଣଦୁଷ୍କର୍ମ ମାମଲା, ଘଟଣାସ୍ଥଳରେ ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନା - ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଘଟଣାସ୍ଥଳ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଜେନା ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଏହି ଲଜ୍ଜାଜନକ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ ବିଭୂତି ଜେନା । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବେଳାଭୂମିରେ ଆଲୋକିକରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସେ ।

ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କଲେ ମନ୍ତ୍ରୀ

ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ‘ଗତ ରବିବାର ଦିନ ଯେଉଁ ଲଜ୍ଜାଜନକ ଘଟଣା ଘଟିଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର, ଘଟଣା ଘଟିବାର 24 ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି । ବର୍ତ୍ତମାନ ସମୁଦ୍ର ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ଆହୁରୀ ବେଳାଭୂମିରେ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଏଭଳି ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ସ୍ତରୀୟ ଅଧିକାରୀ ଘଟଣାର ଦାୟିତ୍ଵ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।" ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁଫ୍ଲାଗ ବିଚ ସହ ବିଚ୍ ସେକ କରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହିକ୍ରମରେ ଘଟଣା ସ୍ଥଳରେ ଚାରୋଟି କ୍ୟାବିନ କରାଯାଇଛି । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବା ନେଇ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ସହ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାର ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ I

Post a Comment

Previous Post Next Post