ଏୟାରପୋର୍ଟ ନେଇ ସରକାର ବ୍ରହ୍ମପୁର ବାସୀଙ୍କ ଭାବାବେଗ ସହ ଖେଳୁଛନ୍ତି କାହିଁକି ?

*ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ନାମରେ ବ୍ରହ୍ମପୁର ବାସୀଙ୍କୁ ଭୁଆଁ ବୁଲା ଯିବା ବନ୍ଦ କରାଯାଉ.....

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଗତ କାଲି ସଂସଦର ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ  ରଙ୍ଗେଇଲୁଣ୍ଡାରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ହେବାର କୌଣସି ପ୍ରସ୍ତାବ ନଥିବା କହିବା ସହ ଏ ନେଇ ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସୀ ତରଫରୁ ପ୍ରସ୍ତାବ ଆସିନଥିବା ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ଯେ ରଙ୍ଗେଇଲୁଣ୍ଡା  ଏୟାରଷ୍ଟ୍ରିପ କୁ ସମ୍ପ୍ରସାରଣ କରି ଏହାକୁ ଏକ ଏୟାରପୋର୍ଟରେ ରୂପାନ୍ତରଣ କରାଯିବ ବୋଲି ଯହା ରାଜ୍ୟ ସରକାରଙ୍କ ତରଫରୁ  କୁହାଯାଉଥିଲା ତାହା କେବଳ ଏକ ଭଣ୍ଡାମି ଥିଲା । ତତ୍ ସହିତ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନେଇ ସରକାର ବ୍ରହ୍ମପୁର ବାସୀଙ୍କ  ଭାବାବେଗ ସହ ଖେଳୁଛନ୍ତି ଏଥିରେ କୌଣସି ଦୀମତ୍ଵ ନାହିଁ। କେନ୍ଦ୍ର ସରକାର ଓ ଡିଜିସିଏ ଅନୁମତି ଓ ଅନୁମୋଦନ ନନେଇ ରଙ୍ଗେଇଲୁଣ୍ଡାରେ ଏୟାରପୋର୍ଟ ନିର୍ମାଣ କରାଯିବ ବୋଲି ବାରମ୍ବାର ଘୋଷଣା କରିବା କି ପ୍ରକାର ପ୍ରବଞ୍ଚନା ଥିଲା ଏବେ ବୁଝପଡୁଚି। ପୂର୍ବତନ  ବିଜେଡି ସରକାର କୌଣସି ଫିଜିବିଲିଟି ଓ ଟେକ୍ନିକାଲ ଅଧ୍ୟୟନ ନକରି ନିର୍ବାଚନକୁ ଆଖି ଆଗରେ ରଖି ଏକ ପାଲଟାଣି ଏୟାରପୋର୍ଟ ନାମ ଦେଇ ତରବରିଆ ଭାବରେ ଛୋଟ ବିମାନ ଭୁବନେଶ୍ୱରକୁ ଉଡାଇ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର ସ୍ଥାପନର ସ୍ବପ୍ନ ବ୍ରହ୍ମପୁର ବାସୀଙ୍କୁ ଯାହା ଦେଖାଯାଇଥିଲା ତାହା ଯେ ଏକ ପ୍ରହସନ ଥିଲା ତାହା ଏବେ ବୁଝା ପଡୁଛି। ଏହା ପଛରେ ଯେ କୌଣସି ଆନ୍ତରିକତା ନଥିଲା ଏଥିରେ କୌଣସି ସନ୍ଦେହ ନାହିଁ। ଗ୍ରୀନ ଫିଲ୍ଡ ବିମାନବନ୍ଦର ସ୍ଥାପନ ନେଇ ଏକ ଏସଓପି ଅଛି।ତାହାକୁ ପାଳନ କରି ଜମି ଚିହ୍ନଟ କରି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ପଠେଇଲେ କେନ୍ଦ୍ର ସରକାର ତାହା ଉପରେ ପଦକ୍ଷେପ ନେବେ। କିନ୍ତୁ ରାଜ୍ୟ ସରକାରଂକ ପକ୍ଷରୁ ସେଭଳି କୌଣସି ପ୍ରାଥମିକ ଆବଶ୍ୟକୀୟ ପଦକ୍ଷେପ ନିଆ ନଯାଇ ଲୋକଙ୍କୁ ସାମୟିକ ସନ୍ତୁଷ୍ଟ କରିବାକୁ ଯାଇ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କୁ ଏୟାରପୋର୍ଟ କରାଯିବାର ଭ୍ରମ ସୃଷ୍ଟି କରାଗଲା। ସରକାରକ ମନ୍ଦ ଯୋଜନାର ସୁରାକ ପାଇ ଆମ ସଂଗଠନ ମୂଳରୁ ସରକାରଙ୍କ ରଙ୍ଗେଇଲୁଣ୍ଡା ସମ୍ପ୍ରସାରଣ ପ୍ଲାନକୁ ବିରୋଧ କରି ଆସୁଛି। ତତ୍ କାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରିଟିଶ ମାନେ ଏହି ଏୟାର ଷ୍ଟ୍ରିପଟି ନିର୍ମାଣ କରିଥିଲେ। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶରେ ତାହା ଅପାଙ୍କ୍ତେୟ ହୋଇସାରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ନିକଟରେ କିଛି ଦିନ ତଳେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଏୟାର ଷ୍ଟ୍ରିପ  ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଥଲେ ମଧ୍ୟ ସେ ଏ ବିଷୟରେ କିଛି କହିନଥିଲେ  । ସେ କି ଧରଣର ସମୀକ୍ଷା  କରୁଥିଲେ ଯେ ଏ ବିଷୟରେ ଜାଣି ପାରିନଥିଲେ। ନା ସବୁ ଜାଣି ସେ ଚୁପ୍ ରହିଥିଲେ । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ତଥା ଏକ ପ୍ରମୁଖ ପ୍ରାଚୀନ ସହର ଓ ବାଣିଜ୍ୟକ ପେଣ୍ଠ ସ୍ଥଳ ରୂପେ ପରିଚିତ ବ୍ରହ୍ମପୁରରେ ଗୋଟେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନେଇ ଅପରିହାର୍ଯ୍ୟତା ରହିଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ  ଅଣଦେଖା ଓ ଅବହେଳା କରାଯାଇ ଆସୁଛି।  ଆଶା କରାଯାଉଥିଲା ନୂତନ  ଡବଲ ଇଞ୍ଜିନ ସରକାର ଆସିବା ପରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ନେଇ ନିର୍ଣ୍ଣାୟକ ପଦକ୍ଷେପ ନେବେ। କିନ୍ତୁ ତା ପରିବର୍ତ୍ତେ ନୂତନ ସରକାର , ସ୍ଥାନୀୟ ମନ୍ତ୍ରୀ ଓ ସାଂସଦ ମାନେ ମଧ୍ୟ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ନେଇ ତତ୍ପରତା ଦେଖାଇ ଏ ଦିଗରେ ପଦକ୍ଷେପ ନେବା କଥା ତାହା ପରିଦୃଷ୍ଟ ହେଉ ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରଙ୍ଗେଇଲୁଣ୍ଡା ଭିତ୍ତିଭୂମିକୁ ଏଭିଏସନ ତାଲିମ କେନ୍ଦ୍ର କରିବାକୁ ଏବଂ ଅନ୍ୟତ୍ର କେଉଁଠି ଜମି ଚିହ୍ନଟ ଓ ଅଧିଗ୍ରହଣ କରି ଗ୍ରୀନ ଫିଲ୍ଡ ବିମାନ ବନ୍ଦର ସ୍ଥାପନ ନେଇ  ତୁରନ୍ତ ପ୍ରସ୍ତାବ ପଠେଇବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ କରାଯାଇଛି। ଆମେ ସରକାରଙ୍କୁ ଅନୁରୋଧ କରୁ ଯେ ରଙ୍ଗେଇଲୁଣ୍ଡା ନେଇ ତାଙ୍କର ପୋଜିସନ ଓ ଷ୍ଟାଣ୍ଡର  ପୁନର୍ବିଚାର କରନ୍ତୁ । ମନେ ହେଉଛି ଆମର ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ  ଦାବୀ କୁ ଦୁର୍ବଳ କରିଦେବା ପାଇଁ ସରକାର ଯେତେବେଳ ଅତି ଚତୁରତାର ସହ ଆମ ଭାବାବେଗ ସହ ଖେଳ ଖେଳି ବ୍ରିଟିଶ ଅମଳର ଅପାଙ୍କ୍ତେୟ ଏୟାର ଷ୍ଟ୍ରିପକୁ ଆଗକୁ ଆଣି ଆମକୁ ବିମାନବନ୍ଦରର ଆଶା ଓ ସ୍ୱପ୍ନ ଦେଖେଇଥିଲେ । ସେତେବେଳ ଏଠାକାର ପାରିପାର୍ଶିକ ଓ ଭୌଗୋଳିକ ଅବସ୍ଥିତି ବିଚାର ଦୃଷ୍ଟି କୋଣରୁ ଏଠାରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ହୋଇପାରିବ ନାହିଁ ବୋଲି ସରକାର ଭଲ ଭାବେ ଜାଣିଥିଲେ। ତଥାପି ପ୍ରବଞ୍ଚନାର ସାହାରା ନେଇ ଜାଣି ଶୁଣି ତଙ୍ଗେଇଲୁଣ୍ଡା ରେ ବିମାନ ବନ୍ଦରର ପ୍ରତିଶ୍ରୁତି ଦିଆଗଲା। ବ୍ରହ୍ମପୁରକୁ ଏକ ମେନ୍ୟୁଫେକ୍ଚରିଂ ଓ ଆଇଟି ହବ୍ ରେ ପରିଣତ ଏବଂ ସାମଗ୍ରିକ ଅଭିବୃଦ୍ଧି ନିମନ୍ତେ ଗ୍ରୀନ ଫିଲ୍ଡ ବିମାନ ବନ୍ଦରର ଆବଶ୍ୟକତା ରହିଛି। ଏ ଦିଗରେ ସରକାର ଅବହେଳା କଲେ ପୁଣି ଥରେ ଆନ୍ଦୋଳନକୁ ଆରମ୍ଭ କରାଯିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି।

Post a Comment

Previous Post Next Post