ମାଲକାନଗିରି, ୦୪/୦୧ ମୋ ନ୍ୟୁଜ ଓଡ଼ିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସୂଚନାନୁଯାୟୀ ଜାନୁଆରି ୧ ତାରିଖରେ ଅଚାନକ ଗାଏବ ହୋଇଯାଇଥିଲେ ମୁକେଶ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ଫୋନ୍ ସୁଇଚ୍ ଅପ୍ ଥିବାରୁ ପରିବାର ଲୋକ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଠିକାଦାର ମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇ ପାରନ୍ତି ବୋଲି ମୁକେଶ ଙ୍କ ଭାଇ ସୁକେଶ ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ବିଜାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି | ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁ-ଟ୍ୟୁବ୍ ଚ୍ୟାନେଲ୍ ରେ ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା । ଯାହାକୁ ନେଇ ଠିକାଦାର ଜଣକ ରକ୍ତମୁଖା ହୋଇ ଉଠିଥିଲେ । ଜାନୁଆରି ୧ ରେ ମୁକେଶ ଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ। ଶୁକ୍ରବାର ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ପୁଲିସ ଚଢ଼ଉ କରିବା ପରେ ପାଇଖାନା ଟାଙ୍କି ଭିତରୁ ମୁକେଶ ଙ୍କ ମୃତଦେହ ମିଳିଥିଲା। ଏହି ହତ୍ୟା ଘଟଣା ରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୂଖ୍ୟ ଅଭିଯୁକ୍ତ ଠିକାଦାର ଙ୍କୁ ବିଜାପୁର କ୍ରାଇମ୍ ବ୍ରାଞ୍ଚ ହାଇଦ୍ରାବାଦ ରୁ କାବୁ କରି ଆଣୁଥିବା ବେଳେ ଠୀକାଦାରଙ୍କ ସାନ ଭାଇ ଙ୍କୁ ରାୟପୁର ଏୟାର ପୋର୍ଟ ରୁ କାବୁ କରିଥିବା ସହ ଆଉ ୪ ଜଣ ସହଯୋଗୀ ଙ୍କୁ ଗିରଫ କରିଛି ବସ୍ତର ପୋଲିସ।
ପରବର୍ତ୍ତି ତଦନ୍ତ ଚାଲୁ ରହିଥିବା ବିଜାପୁର ଏସ ପି କହିଛନ୍ତି।