(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା।)
ମାଲକାନଗିରି ତା ୧୬/୧୨ ମାଲକାନଗିରି ଜିଲ୍ଲା ସସର ବ୍ଲକ ଅନ୍ତର୍ଗତ ଏମଭି ୧୧ ସ୍ଥିତ ଧାନମଣ୍ଡିର ପରିଚାଳନାକୁ ନେଇ ଦୀର୍ଘ ଦିନ ଧରି ଦୁଇ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମଧ୍ୟରେ ବଡ ବିବାଦ ଲାଗି ରହିଥିବା ବେଳେ ଏହା ଏବେ ଉଗ୍ର ରୂପ ନେବାକୁ ଲାଗିଛି। ଯାହାକୁ ନେଇ ଉଭୟ ଗୋଷ୍ଟି ଆଜି ମାଲକାନଗିରି ଆଦର୍ଶ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଏମଭି ୧୧ ଗ୍ରାମର ଜୟ ମା କାଳୀ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗତ ତିନିବର୍ଷ ଧରି ଏମଭି ୧୧ ଧାନମଣ୍ଡି ପରିଚଳନା କରୁଥିବା ବେଳେ ଏହି ଗୋଷ୍ଟିକୁ ବାଟପାଲି ଗ୍ରାମର ଇନ୍ଦ୍ରାବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ବିରୋଧ କରି ଆସୁଛି, ଉଭୟ ଗୋଷ୍ଟି ପରସ୍ପରକୁ ବିରୋଧ କରି ଆସୁଥିବା ବେଳେ ଜୟ ମା କାଳୀ ମହିଳା ଗୋଷ୍ଟି ସଠିକ ଭାବେ ନିଜର ଦାଇତ୍ଵ ତୁଲାଉ ନଥିବା ଓ ଦଲାଲଙ୍କ ସହ ମିଶି ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରିଛି ଇନ୍ଦ୍ରାବତୀ ଗୋଷ୍ଟି । ଏହାସହ ଅଧିକାରୀଙ୍କୁ ହାତବାରିସ କରି ମଣ୍ଡି ପରିଚାଳନା ଦଇତ୍ଵ ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଏନେଇ ସେମାନେ ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଗତ ଦିନରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅନ୍ୟପଟେ ମା କାଳୀ ଗୋଷ୍ଟି ମଧ୍ୟ ଏନେଇ ଆଜି ବିଧାୟକ ଓ ଥାନାର ଦ୍ଵାରସ୍ଥ ହୋଇଛି। ଏହି ମଣ୍ଡି ପାଇବା ଆଶାରେ ବାଟପାଲ୍ଲୀ ଗ୍ରାମର ଇନ୍ଦ୍ରାବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଆବେଦନ କରିଥିବା ବେଳେ କୌଣସି କାରଣବଶତଃ ସେମାନେ ଏହି ମଣ୍ଡି ପରିଚାଳନା ଦାୟିତ୍ବ ପାଇ ପାରୁନାହିଁ। ଫଳରେ ଧାନ ମଣ୍ଡିରେ ଆଗାମୀ ବୁଧବାର ଦିନ ତାଲା ପକାଇବାକୁ ଧମକ ଦେଇଛନ୍ତି ବୋଲି ମା କାଳି ଗୋଷ୍ଟି ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏପରି ସ୍ଥିତିରେ ଏହି ମଣ୍ଡି ପରିଚାଳନାକୁ ନେଇ ବିବାଦ ତୀବ୍ର ରୂପ ନେବାରେ ଲାଗିଛି। ମଣ୍ଡିରେ ଚାଷୀ ଧାନ ବିକିବାକୁ ଆଶା ବାନ୍ଧିଥିବା ବେଳେ ଏପରି ବିବାଦକୁ ଦେଖି ଦ୍ଵନ୍ଦରେ ପଡୁଥିବା କୁହାଯାଉଛି। ସୂଚନା ଥାଉକି ଇନ୍ଦ୍ରାବତି ଗୋଷ୍ଟିକୁ ଏହି ମଣ୍ଡି ପରିଚଳନା ଦାଇତ୍ଵ ପ୍ରଦାନ ଲାଗି ବିଗତ ଦିନରେ ମାଲକାନଗିରି ବିଧାୟକ ଚିଠି ଲେଖି ସୁପରିଶ ମଧ୍ୟ କରିଥିଲେ। କିନ୍ତୁ ବିଧାୟକଙ୍କ ଏହି ସୁପାରିସପତ୍ର କାମ ଦେଇନଥିବା ଓ ଅଧିକାରୀ ମାନେ ଏହାକୁ ଅଣ ଦେଖା କରିଥିବା ସାଧାରଣରେ ଚର୍ଚା ହେଉଛି। ଏପରି ସ୍ଥଳରେ ଆଗାମୀ ଦିନରେ ଏହି ମଣ୍ଡି ସଠିକ ଭାବେ ଚାଲିବ କି ନାହି ତାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି।


