ବିଧାନସଭାରେ ସହର ତଳି ଅଞ୍ଚଳ ବିଏମସିରେ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ରଖିଥିବା ବକ୍ତବ୍ୟ ଦୁର୍ଭାଗ୍ୟଜନକ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ରାଜ୍ୟ ବିଧାନସଭାରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ଦ୍ଵାରା ୨୦୦୮ ଗେଜେଟ ନୋଟିଫିକେସନ ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ବ୍ରହ୍ମପୁର ମହାନଗର ନିଗମରେ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଧାନସଭାରେ ଯେଉଁଭଳି ଅର୍ଦ୍ଧ ସତ୍ୟ ଓ ଅସମ୍ପୂର୍ଣ୍ଣ ତଥ୍ୟ ରଖିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ବିଭ୍ରାନ୍ତିକର ଓ ନିରାଶାଜନକ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରକାଶ କରିଛି। ଗୋଟିଏ ପଟେ ମନ୍ତ୍ରୀ ମହୋଦୟ ସହର ତଳି ଅଞ୍ଚଳ ସାମିଲ ନେଇ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଥିବା  ସ୍ବୀକାର କରିଛନ୍ତି। ସେହିଭଳି ଅନ୍ୟପଟେ କମିଟି ଦ୍ବାରା ଦାୟର ମାମଲରେ ରହିଥିବା ହାଇ କୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ଲୋଚାପଡା ପଞ୍ଚାୟତ , ସାନ କୁଷସ୍ଥଳି , ବ୍ରହ୍ମାପଲ୍ଳି ଓ ଗୋଳାବନ୍ଧ ଆର୍ମି ଏଡି କଲେଜକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ବିଭାଗ ଦ୍ଵାରା ଗତ ତା ୨୮/୧୦/୨୦୨୨ ରେ  ଚିଠି ସଂଖ୍ୟା ୧୭୯୭୪ ସମ୍ବଳିତ ବିଜ୍ଞପ୍ତି ଜାରି କରାଯାଇ ମିଶ୍ରଣ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଆହ୍ଵାନ କରାଯାଇଥିବା ଉଲ୍ଲେଖ କରିବା ସହ ସେହି ସବୁ ଗ୍ରାମର କିଛି ବ୍ୟକ୍ତି ବିଶେଷଙ୍କ ମିଶ୍ରଣ ନେଇ ଆପତ୍ତି ବିଭାଗକୁ ମିଳିବା ଫଳରେ ମିଶ୍ରଣ ହୋଇ ପାରି ନାହିଁ ବୋଲି ଉତ୍ତର ରଖିଛନ୍ତି।  ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଲିଖିତ ଏଭଳି ଉତ୍ତର ପଠନ ନକରି ବିଷୟ ଉପରେ ପ୍ରବେଶ କରି , ଜ୍ଞାନ ଆହରଣ କରି ଓ ତର୍ଜମା କରି ସମ୍ପୂର୍ଣ ତଥ୍ୟ ରଖିଥିଲେ ଭଲ ହୋଇଥାନ୍ତା । ମନ୍ତ୍ରୀ ୨୦୦୮ ଗେଜେଟ ନୋତିଫିକେସନ ଉପରେ ନୀରବ ରହିଥିଲା ବେଳେ ଯେଉଁ ଆପତ୍ତି ଅଭିଯୋଗ କଥା କହିଛନ୍ତି ତାହାର ଆଧାର କଣ କହିଥିଲେ ଭଲ ହୋଇଥାନ୍ତା । ମନ୍ତ୍ରୀ ଏହା କହିବା ପୂର୍ବରୁ ଏହି ଆପତ୍ତି ଅଭିଯୋଗ ଉପରେ ବିଭାଗ ଦ୍ଵାରା ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଯେଉଁ ମତାମତ ମଗାଯାଇଥିଲା ତାହାକୁ ଉଭୟ ଜିଲ୍ଲାପାଳ ଓ କମିଶନର ଚିଠି ସଂଖ୍ୟା ୧୫୬୬୯ ତା ୧୬/୧୨/ ୨୦୨୨ ରେ ଆଧାରହୀନ କହି ଖାରଜ କରି ଆଗ୍ରାହ୍ୟ କରିଦେଇ ମିଶ୍ରଣ ସକାଶେ ତୁରନ୍ତ ପଦକ୍ଷେପ ନେବା ପାଇଁ ତତ୍କାଳିନ ସରକାରଙ୍କୁ ସୁପାରିଶ କରିଥିଲେ ମଧ୍ୟ ମନ୍ତ୍ରୀ ମହୋଦୟ ତାହାକୁ ନିଜ ଉତ୍ତରରେ ପ୍ରକାଶ ନକରି ଅର୍ଦ୍ଧ ସତ୍ୟ କହିଛନ୍ତି। ସେହିପରି ହାଇକୋର୍ଟରେ କମିଟି ଦ୍ୱାରା ଦାୟର ମାମଲା ଏବେ ମଧ୍ୟ ବିଚାରଧିନ ରହିଛି ଏବଂ ନଗର ଉନ୍ନୟନ ବିଭାଗ ନଭେମ୍ବର ୧୨ ତାରିଖ ଦିନ କିପରି ୩୬ ପୃଷ୍ଠାର ଏକ କାଉଣ୍ଟର ହାଇକୋର୍ଟରେ ଦାଖଲ କରିଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିଥିଲେ ଭଲ ହୋଇଥାନ୍ତା। ହାଇକୋର୍ଟରେ ବିଭାଗ ଉତ୍ତର ରଖିଚି ଯେ ସହର ସନ୍ନିକଟ ଏହି ସବୁ ଅଞ୍ଚଳକୁ ମହାନଗର ନିଗମରେ ମିଶେଇବା ପୂର୍ବରୁ ତାହାକୁ ରୂଆର୍ବନ ଯୋଜନାରେ ସାମିଲ କରି ସେଠାକାର ଭିତ୍ତିଭୂମି ସଜଡାଯିବ। ତାହା ଉପରେ ମଧ୍ୟ ମନ୍ତ୍ରୀ ଚୁପ୍। ହାଇ କୋର୍ଟରେ ବିଭାଗ କହିଛି ଯେ ଜିଲ୍ଲା ପ୍ରଶାସନ ଠାରୁ ତଥ୍ୟ ଆସିବାରେ ବିଳମ୍ବ ହେବାରୁ ସେତେବେଳେ ମିଶ୍ରଣ ହେଇ ପାରିନଥିଲା। ଆମ ମତରେ ଯଦି ଆପତ୍ତି ଆସିଥିବାରୁ ମିଶି ନାହିଁ କହୁଛନ୍ତି । ସେହି ଆପତ୍ତି ଲୋଚାପଡା ଓ ସାନ କୁଷସ୍ଥଳି ରୁ ଆସିଥିଲା।  ବ୍ରହ୍ମାପଲ୍ଲି ଓ ଗୋଳାବନ୍ଧ ଗ୍ରାମରୁ କୌଣସି ଆପତ୍ତି ଆସି ନାହିଁ। ତାହାକୁ କାହିକି ସାମିଲ କଲେ ନାହିଁ। ଅଧିକନ୍ତୁ ମନ୍ତ୍ରୀ ମହୋଦୟ ଉଲ୍ଲେଖ କରାଯାଇଥିବା ଓଡ଼ିଶା ମୁନିସିପାଲ କର୍ପୋରେସନ ଆଇନ ୨୦୦୬ ର ଧାରା ୩ ବାବଦରେ ନୀରବ। ହାଇ କୋର୍ଟରେ ମାମଲା ବିଚାରାଧିନ ଥିଲାବେଳେ ମନ୍ତ୍ରୀ ଏଭଳି ରାୟ ଶୁଣାଇବା ଉଚିତ୍ ହୋଇ ନାହିଁ।  ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୨୦ ମସିହାରେ ଯେତେବେଳେ ତତ୍କାଳିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୁତ କୁଲାଙ୍ଗେ  ଚିଠି କରି ରଙ୍ଗେଇଲୁଣ୍ଡା ବିଡ଼ିଓ ଓ କୁକୁଡାଖଣ୍ଡି ବିଡ଼ିଓଙ୍କୁ କେଉଁ କେଉଁ ଗ୍ରାମ ପଞ୍ଚାୟତ ବିଏମସିରେ ମିଶିବା ପାଇଁ ଇଚ୍ଛା ପ୍ରକଟ କରୁଛନ୍ତି ରେଜୋଲୁସନ  କରି ପଠେଇ ବାକୁ ନିର୍ଦ୍ଧେଶ ଦେଲେ ସେତେବେଳେ କୁକୁଡାଖଣ୍ଡି ବ୍ଲକର ଲୋଚାପଡା ପଞ୍ଚାୟତ ଓ ରଙ୍ଗେଇଲୁଣ୍ଡା ବ୍ଲକର ସାନ କୁଷସ୍ଥଳି ଗ୍ରାମ, ବ୍ରହ୍ମାପଲ୍ଲି ଗ୍ରାମ ଓ ଗୋଳାବନ୍ଧ ଆର୍ମି ଏଡି କଲେଜ ପ୍ରମୁଖ ବ୍ରହ୍ମପୁର ମହାନଗର ନିଗମରେ ମିଶିବା ନେଇ ଇଚ୍ଛା ସଂକଳ୍ପ ପତ୍ର ପାରିତ କରି ଜିଲ୍ଲା ପ୍ରଶାସନ ପାଖରେ ଦାଖଲ କରିଥିଲେ। ତତ୍କାଳିନ ଜିଲ୍ଲାପାଳ ରେଜୋଲୁସନ ପାସ କରିଥିବା ଉପରୋକ୍ତ ଚାରୋଟି ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ପଦକ୍ଷେପ ନେବାକୁ ଚିଠି ସଂଖ୍ୟା.. ୧୩୨    ତା ୧୪/୧/୨୦୨୦ ରେ ରାଜ୍ୟ 

 ସରକାରଙ୍କୁ ସୁପାରିଶ କରିଥିଲେ। ହାଇକୋର୍ଟ ମଧ୍ୟ ନିଜ ଆଦେଶରେ ଯେଉଁମାନେ ରେଜୋଲୁସନ ପାସ କରିଛନ୍ତି ସେମାନଙ୍କୁ ନିଗମରେ ସାମିଲ ନେଇ ପଦକ୍ଷେପ ନେବାକୁ  ସରକାରଙ୍କୁ କହିଥିଲେ । ଅଦାଲତ ଅବମାନନା କେସର ଆଦେଶ ଅନୁଯାୟୀ ନଗର ଉନ୍ନୟନ ବିଭାଗ ତା ୨୮/୧୦/୨୦୨୨ ରେ ଏକ ବିଜ୍ଞପ୍ତି ବାହାର କରି ସଂକଳ୍ପ ପତ୍ର ପାରିତ କରିଥିବା ଚାରୋଟି ଗ୍ରାମର କ୍ଷତିଗ୍ରସ୍ତ ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଆହ୍ଵାନ କରିଥିଲେ। ସେ ସମୟରେ ଏହାର ସପକ୍ଷରେ ଓ ବିପକ୍ଷରେ କିଛି ପିଟିସନ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିଲା।  କିଛି ବ୍ୟକ୍ତି ବିଶେଷ ନିଜର ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ଚରିତାର୍ଥ ସକାଶେ କରିଥିବା ଆପତ୍ତି ଗୁଡ଼ିକ ଆଧାର ନଥିବା ଦର୍ଶାଇ ପ୍ରଶାସନ ଦ୍ବାରା ଆଗ୍ରାହ୍ୟ ହୋଇଯାଇଥିଲା । ତତ୍ ସହିତ ଏହି ସବୁ ଗ୍ରାମ ଗୁଡ଼ିକ ବିଲକ୍ଷଣ ହୋଇ ସହରୀକରଣ ହୋଇସାରି ଥିବାରୁ ତୁରନ୍ତ ସାମିଲ ପାଇଁ ପ୍ରଶାସନ ସୁପାରିଶ କରିଥିଲେ। ଆମକୁ ମନେ ରଖିବାକୁ ହେବ ଯେ ଗ୍ରାମ ସଭା ଓ ପଞ୍ଚାୟତ କୌଣସି ବିଷୟ ଉପରେ ଥରେ ସଂକଳ୍ପ ପତ୍ର ପାରିତ କରି ସୁପାରିଶ କରିଥିବ ତାହା ସୁପ୍ରିମ ଓ ଫାଇନାଲ ଅଟେ । ତାହା ଉପରେ କୌଣସି ଆପତ୍ତି ଗ୍ରହଣୀୟ ନୁହେଁ। ଏପରିକି ଏହା ଉପରେ କୋର୍ଟ ମଧ୍ୟ ହସ୍ତକ୍ଷେପ କରିବେ ନାହିଁ । ଅନେକ କେସରେ କେନ୍ଦ୍ର, ହାଇ କୋର୍ଟ ଓ ସୁପ୍ରିମ କୋର୍ଟଙ୍କ ଏ ସମ୍ପର୍କିତ ରାୟ ରହିଛି। ପୂର୍ବ ପଞ୍ଚାୟତର ସଂକଳ୍ପ ପତ୍ର ଓ ହାଇ କୋର୍ଟଙ୍କ ନିର୍ଦ୍ଧେଶ ଠାରୁ ବିଭାଗକୁ କିଛି ବ୍ୟକ୍ତି ବିଶେଷଙ୍କ ସ୍ବାର୍ଥ ସମ୍ବଳିତ ଆପତ୍ତି ଉର୍ଦ୍ଧରେ ମାନେ ହେଇଥିବା ଭଳି ଲାଗୁଛି । ଅଧିକନ୍ତୁ ଥରେ ଜନଶୁଣାଣୀ ହେଇ ସାରିଥିଲା ବେଳେ ପୁଣି ଥରେ ତାହାରି ଉପରେ ଜନ ଶୁଣାଣି କେତେଦୂର ଠିକ୍। ମାନେ ହେଉଛି ବିଭାଗ ମନ୍ଦ ଉଦ୍ଦେଶ୍ୟ ରଖି ଖାରଜ ହୋଇଯାଇଥିବା ଆପତ୍ତି ଗୁଡ଼ିକର ସାହାରା ନେଇ ମିଶ୍ରଣ ପକ୍ରିୟାକୁ ବାଧା ଦେବାକୁ ଚାହୁଁଛି। ସେହିପରି ଏ ନେଇ ମନ୍ତ୍ରୀଙ୍କ ତୁଣ୍ଡରେ ଭୁଲ ତଥ୍ୟ ରଖିଛି। ଆଶା କରା ଯାଉଥିଲା ଯେ ପୂର୍ବ ସରକାରଙ୍କ ଭୁଲ ରୁ ଶିକ୍ଷା ଆହରଣ କରି ବିଜେପି ସରକାର ୧୮ ଟି ପଞ୍ଚାୟତ ମିଶ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବେ। ୧୯୮୪ ମସିହା ପରଠାରୁ ହୋଇନଥିବା ବ୍ରହ୍ମପୁର ମହାନଗର ନିଗମର ପରିସୀମା ବୃଦ୍ଧି କରି ଏହାକୁ ଅନୁନ୍ୟ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ସମ୍ପୂର୍ଣ ମହାନଗର ନିଗମରେ ପରିଣତ କରିବେ। କାରଣ ସରକାର ସମ୍ବଲପୁର ମହାନଗର ନିଗମରେ ଅଧ୍ୟାଦେଶ ବଳରେ ବୁର୍ଲା ଓ ହୀରାକୁଦ ଭଳି ଦୁଇଟି ଏନଏସି କୁ ସାମିଲ କରିଥିବା ବେଳେ ପଞ୍ଚାୟତ ଓ ଗ୍ରାମ ସାମିଲ ନେଇ ଏଭଳି ନକରାତ୍ମକ ଆଭିମୁଖ୍ୟ କାହିଁକି ରଖିଛନ୍ତି ବ୍ରହ୍ମପୁର କ୍ଷେତ୍ରରେ ବୁଝା ପଡୁ ନାହିଁ। ସରକାର ଚାହିଁଲେ ଅଚିରେ ଏହାକୁ କାର୍ଯ୍ୟକାରୀ କରିପାରିବେ । ଯଦି ଅନ୍ୟ ମହାନଗର ନିଗମର ପରିସୀମା ବୃଦ୍ଧି ବେଳେ ଅଧ୍ୟାଦେଶ ଆଣି କରା ଯାଇପାରୁଛି। ତାହାହେଲେ ବ୍ରହ୍ମପୁର ପ୍ରତି ଏଭଳି ପାତରଅନ୍ତର ଓ ଭେଦଭାବ ନୀତି ଓ ଜନ ଶୁଣାଣି ଓ ରେଯୋଲୁସନ ଭେଳିକି କଣ ପାଇଁ ଓ କାହା ସ୍ୱାର୍ଥରେ । ସରକାରଙ୍କ ଏହି ଦୋହରା ମାପଦଣ୍ଡ ଆଇନ, ଶାସନ ଓ ବ୍ୟବସ୍ଥାର ପରିପନ୍ଥୀ।ଆମ ରାଜନୈତିକ ନେତୃବୃନ୍ଦ ଓ ଜନ ପ୍ରତିନିଧିଙ୍କ ଆଯୋଗ୍ୟତା ଓ ଅପାରଗତାର ସୁଯୋଗ  ଭୁବନେଶ୍ୱରରେ ବସିଥିବା ବ୍ରହ୍ମପୁର ଅଭିବୃଦ୍ଧି ଗୋଷ୍ଠୀ ନେଇ ନାହାନ୍ତି ତ? ସହର ତଳି ଅଞ୍ଚଳ ସାମିଲ ହେଇଗଲେ ଏହାର ଜନ ସଂଖ୍ୟା ୯ ଲକ୍ଷରେ ପହଞ୍ଚିବ। ଫଳରେ ସେ ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ପ୍ରଚୁର ଅନୁଦାନ ଓ ମ୍ୟାଚିଂ ସେର ଆସିବ। ସେମାନଙ୍କ ଅନୁଦାନ ଓ ସେର ଉପରେ ପ୍ରଭାବ ପଡିବ ଭାବି ଭୁବନେଶ୍ୱର କଟକ ଲବି ଓ କୁଚକ୍ରୀ ଗୋଷ୍ଠୀ ଏହାକୁ କରେଇ ଦେଉ ନାହାନ୍ତି ବୋଲି କମିଟି କର୍ମକର୍ତ୍ତା ମନେ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି। ସେହିଭଳି ଜିଲ୍ଲାର ମନ୍ତ୍ରୀ ଓ ବିଧାୟକ ମାନଙ୍କ ନିରବତା ଆହୁରି ଉଦବେଗ ଜନକ। ନଗର ଉନ୍ନୟନ ମନ୍ତ୍ରୀ ତୁରନ୍ତ ସମସ୍ତ ବିଷୟକୁ ତର୍ଜମା କରି ମିଶ୍ରଣ ଦିଗରେ ସକରାତ୍ମକ ପଦକ୍ଷେପ ନିଅନ୍ତୁ। ନଚେତ୍ କମିଟ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ।ଆଜିର ସାମ୍ବାଦିକ ସମ୍ମିଳନୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସମେତ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ, ସୁବାଷ ଚନ୍ଦ୍ର ପାତ୍ର,ଦିଗାମ୍ବର ସାମନ୍ତରାୟ, ବିଜୟ କୁମାର ସାହୁ, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ମଞ୍ଚାସିନ ଥିଲାବେଳେ କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର,ସହ ସମ୍ପାଦକ ବି ଭି ସାଗର , ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ଉପ ସଂଗଠନ ସମ୍ପାଦକ ଶ୍ରିମନ୍ତ ପାଣିଗ୍ରାହୀ,ସହ ସଂଯୋଜକ ଅନିଲ ଅଧିକାରୀ ,ଏମ୍ ନାର୍ଶୀଙ୍ଗୁଲୁ, ପ୍ରୀତିଶ ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ରଥ, କାହୁଁ ଚୌଧୁରୀ ଓ ନାରାୟଣ ଚନ୍ଦ୍ର ପାଇଛା ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ।

Post a Comment

Previous Post Next Post