(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ସହରରେ ବିଭିନ୍ନ ସବୁଜ ପରିବା ଦର ଅହେତୁକ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । ସେଥିମଧ୍ୟରୁ କିଛିର ଖୁଚୁରା ବଜାର ମୂଲ୍ୟ ଆପଣଙ୍କ ଅବଗତି ନିମନ୍ତେ ଉଲ୍ଲେଖ କରିବା ଉଚିତ ମଣୁଛୁ - ବାଇଗଣ ୮୦ ଟଙ୍କା, ଭେଣ୍ଡି ୫୦ , ପୋଟଳ ୮୦ , ଆଳୁ ୩୬ , ପିଆଜ ୫୦ ଅନ୍ୟ ପରିବା କଥା ଏଥିରୁ ସହଜରେ ଅନୁମେୟ । ଦର ଏତେ ଉଚ୍ଚା ଯେ କୌଣସି ପରିବାରେ ହାତ ମାରିବାକୁ ଭୟ ଲାଗୁଛି। ଆହୁରି ବିଡ଼ମ୍ବନାର କଥା ହେଲା ଯେ ଏବେ କୌଣସି ଭୋଜି ଭାତ କିମ୍ବା ବାହାଘର ଭଳି ବ୍ୟୟବହୁଳ ପରମ୍ପରା ଓ ରୀତିନୀତି ନଥିଲେ ସୁଦ୍ଧା ଏହି ଦର ବୃଦ୍ଧି ଧାରାବାହିକ ଓ ଅନବରତ ଭାବେ ଲାଗି ରହିବା ଅଚିନ୍ତନୀୟ ଓ ଅକଳ୍ପନୀୟ । କାରଣ ପରିବା ଉତ୍ପାଦନ, ବିତରଣ ଓ ଯୋଗାଣରେ କୌଣସି ଅଭାବୀ ନଥିଲବେଳେ ଏଭଳି ଅସ୍ବାଭାବିକ ଦର ବୃଦ୍ଧି ଲାଗିରହିିବା ଚିନ୍ତାଜନକ ଓ ରହସ୍ୟମୟ। ବିଭିନ୍ନ କାରଣରୁ ଯଦିଓ ପରିବା ଦରରେ ଅସ୍ବାଭାବିକ ଓ କୁତ୍ରିମ୍ ବୃଦ୍ଧି ହୋଇ ଯେଉଁ ଭଳି ଭାବରେ ଏଥିରେ ନିଆଁ ଲାଗିଛି ଗରୀବ ଗୁରୁବା କଣ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହାଦ୍ବାରା ଅତ୍ୟଧିକ ଚାପ ଗ୍ରସ୍ତ ହେଇଚନ୍ତି। ପରିବାରର ଫୁଡ୍ ବଜେଟ ର ଅହେତୁକ ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ର ଓ ଖର୍ଚ୍ଚକୁ ଏହା ସଙ୍କୁଚିତ କରିଦେଉଛି। ସ୍ୱଳ୍ପ ସଂଚୟ, ମଧ୍ୟମ ସଂଚୟ ଓ ପୁଞ୍ଜି ବିନିଯୋଗ ଉପରେ ଏହାର କୁପ୍ରଭାବ ପଡୁଛି। ଫଳରେ ପରୋକ୍ଷରେ ଓ ପ୍ରତ୍ୟକ୍ଷରେ ରାଜ୍ୟ ଓ ଦେଶର ଅର୍ଥନୀତି ଓ ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସବୁଠାରୁ ଉଦବେଗ ଜନକ କଥା ହେଲା ଏହି ଅଭାବନୀୟ ଦର ବୃଦ୍ଧିର ଶ୍ରେୟ ଓ ଲାଭ ଚାଷୀ ନିକଟକୁ ଯାଉ ନାହିଁ କିମ୍ବା ଚାଷୀ ଲାଭବାନ ହେଉ ନାହିଁ। ବ୍ୟବସାୟୀ ଓ ମଧ୍ୟସ୍ଥି ଏଥିରୁ ସିଂହ ଭାଗ ମୁନାଫା କମେଇବାରେ ବ୍ୟସ୍ତ । ଏହାକୁ ନିୟନ୍ତ୍ରଣ ଓ ରେଗୁଲେସନ କରିବା ପାଇଁ ସରକାରଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ ମେକାନିଜିମ୍ ନାହିଁ। ଯୋଗଣ ବିଭାଗର ଆତ୍ମ ବିଶ୍ୱାସ ଓ ଇଚ୍ଛା ଶକ୍ତି ହଜିଯାଇଛି ଯାହାଫଳରେ ବିଭାଗକୁ ଏ ସବୁ କିଛି ଦେଖାଯାଉନାହିଁ। କିମ୍ବା ଯୋଗାଣ ବିଭାଗ ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଫଳ ବିଚରା ଖାଉଟି ଓ ଜନସାଧାରଣ ଭୋଗୁଛନ୍ତି । ତେଣୁ ଏ ପରିପ୍ରେକ୍ଷୀରେ ପନିପରିବା ଫସଲର ଚାହିଦା, ଉତ୍ପାଦ ଓ ଯୋଗାଣର ନିୟମିତ ବଜାର ସର୍ଭେ ହେଉ। ସେହିପରି ହଲଦିଆପଦର ବ୍ରିଜ ତଳେ ଥିବା ପନିପରିବା ହୋଲସେଲେ ବଜାର ଉପରେ ଚଢଉ କରାଯାଇ ନିୟମିତ ଯାଞ୍ଚ କରାଯାଉ। ଯୋଗାଣ ବିଭାଗକୁ ସକ୍ରୀୟ କରି ଏହାର କର୍ମଚାରୀଙ୍କୁ ବଜାର ଦର ଓ କୁତ୍ରିମ ଭାବେ ମହଜୁଦ କରି ଅଭାବୀ ବିକ୍ରି ସୃଷ୍ଟି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ଦିଆଯାଉ । ପନିପରିବା ଫସଲର ମଣ୍ଡି ଖୋଲିବାର ପଦକ୍ଷେପ ନିଆଯାଉ । ସୁତରାଂ ପରିସ୍ଥିତିର ଗମ୍ଭୀରତା ଏବଂ ଜନସାଧାରଣ ଓ ଖାଉଟିଙ୍କ ଦୁର୍ଦ୍ଦଶାକୁ ଆଖିରେ ରଖି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିଭିନ୍ନ ଲାଇନ ବିଭାଗର ବୈଠକ ଡାକି ଏହାର ସମୀକ୍ଷା କରି ପରିବା ଦରକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବାକୁ ପଦକ୍ଷେପ ନେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କୁ ଇମେଲ ମାଧ୍ୟମରେ ପତ୍ର ଲେଖି ଅନୁରୋଧ କରାଯାଇଛି । ନହେଲେ ଏହା ଏଭଳି ଲଗାମ ଛଡ଼ା ହୋଇ ସବୁ ବର୍ଗର ଖାଉଟିଙ୍କୁ କନ୍ଦଉଥିବ ଏବଂ ଖାଉଟି ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି।

