ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା।ଭୁବନେଶ୍ବର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ କୋଦଳା ଠାରେ ବେଗୁନିଆପଡ଼ା ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। କୋଦଳା ଏନଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ୱରେ ଡାକବଙ୍ଗଳା ପଡିଆ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମହିଳାଙ୍କୁ ସୁଭଦ୍ରା ଯୋଜନାର ଉଦେଶ୍ୟ ସଂପର୍କରେ ସଚେତନତା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସ ମାଧ୍ୟମରେ ମହିଳାଙ୍କୁ ଦେଖାଇବା ସହ ମହିଳାଙ୍କୁ ଏନେଇ ଅବଗତ କରାଇଥିଲେ ଅତିଥି। ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି ବୋଲି କହିଥିଲେ କୋଦଳା ଏନଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ସି ଡ଼ି ପି ଓ ସନ୍ଧ୍ୟା ରାଣି ପାଣିଗ୍ରାହୀ ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ଏନଏସି ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ସମସ୍ତ କାଉନସିଲର, ବିଜେପି ନେତା ସତୀଶ ତାରେଣୀ, ଚିତ୍ରସେନ ପରିଡା, ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ହଜାର ହଜାର ମହିଳା ଉପସ୍ଥିତ ଥିଲେ।


