ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଶିକ୍ଷକ ହେଉଛନ୍ତି ସମାଜର ମେରୁଦଣ୍ଡ। ଦେଶ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ଜଣେ ଶିକ୍ଷକ ସର୍ବଦା ନିଜ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ନିରନ୍ତର ପ୍ରୟାସ କରି ଚାଲିଥାଏ। ପିଲାର ଉନ୍ନତି ତଥା ପିଲା ମୁହଁରେ ହସ ଟିକକ ଦେଖି ତା' ଛାତି କୁଣ୍ଢେମୋଟ ହୋଇଯାଏ। କିନ୍ତୁ ଆଜିର ପ୍ରତିଯୋଗୀତା ମୂଳକ ଦୁନିଆରେ ଶିକ୍ଷାର ବ୍ୟବସାୟୀକରଣ ଏତେ ମାତ୍ରାରେ ବଢିଯାଇଛି ଯେ ସରକାରୀ ବିଦ୍ୟାଳୟ ଓ ସରକାରୀ ଶିକ୍ଷକ ସମାଜରେ ଏକ ପ୍ରକାର ଅଲୋଡା ହୋଇଗଲେଣି। ପୂର୍ବ ବିଜେଡି ସରକାର 5T ନାମରେ ବିଦ୍ୟାଳୟ ରୂପାନ୍ତରୀକରଣ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଅଥଚ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକଙ୍କୁ ସମ୍ମାନୀତ କରିବାକୁ ଭୁଲି ଯାଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ସରକାର ଶେଷ ବର୍ଷରେ ସମାଜର ବିଭିନ୍ନ ବର୍ଗକୁ ପୁରଷ୍କୃତ କରି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏହି କ୍ରମରେ ଶିକ୍ଷକ ସମାଜ ବି ବାଦ ପଡ଼ନ୍ତି କିପରି ? ତରବରିଆ ଭାବେ ତା:- ୩୧.୦୧.୨୦୨୪ ରେ ବହୁ ସଂଖ୍ୟକ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ବର ଡ଼କାଇ କେବଳ ମାନପତ୍ର ଖଣ୍ଡିଏ ଲେଖାଏଁ ଦେଇ ବିଦା କରି ଦେଇଥିଲେ । ଇତି ମଧ୍ୟରେ ଛଅ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସମସ୍ତେ ପୁରସ୍କାର ଅର୍ଥ ରାଶି ପାଇ ପାରି ନାହାନ୍ତି। ଅତୀତରେ ପ୍ରତିବର୍ଷ ସେପ୍ଟେମ୍ବର ୫ ଗୁରୁ ଦିବସ ପାଳନ ଅବସରରେ "ରାଜ୍ୟପାଳ ପୁରସ୍କାର" ନାମରେ ରାଜ୍ୟର କୃତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜ୍ୟସ୍ତରରେ ପୁରଷ୍କୃତ ହୋଇ ଆସୁଥିଲେ। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା:- ୬୭୨୬, ତା:- ୦୫.୦୪.୨୦୨୨ ରେ "ରାଜ୍ୟପାଳ ପୁରଷ୍କାର" ର ନିୟମାବଳୀକୁ ପରିବର୍ତ୍ତନ କରି "ରାଜ୍ୟ ପୁରଷ୍କାର" ନାମରେ ଗୁରୁଙ୍କୁ ପ୍ରତିବର୍ଷ ସମ୍ମାନୀତ କରିବା ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଥିଲା। Covid-19 ତଥା ଅନ୍ୟାନ୍ୟ କାରଣରୁ ୨୦୧୯-୨୦ ରୁ ୨୦୨୧-୨୨ ପର୍ଯ୍ୟନ୍ତ ତିନି ବର୍ଷ ଧରି ବନ୍ଦ ଥିବା ରାଜ୍ୟସ୍ତରୀୟ ଶିକ୍ଷକ ପୁରଷ୍କାରକୁ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦେବାକୁ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ତିନିବର୍ଷର ପୁରଷ୍କାର ନିମନ୍ତେ ଦରଖାସ୍ତ ଆହ୍ଵାନ କରାଯାଇଥିଲା । ଏଥିରେ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ଟୋଲ, ମାଦ୍ରାସା, ଓଡିଶା ଆଦର୍ଶ ବିଦ୍ୟାଳୟ, ଶିକ୍ଷକ-ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ କଲେଜ ଆଦି ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନର ମୋଟ ୬୮ ଜଣ ଯୋଗ୍ୟ ଶିକ୍ଷକଙ୍କୁ ପ୍ରତିବର୍ଷ ପୁରଷ୍କୃତ କରିବା ନିମନ୍ତେ ବ୍ୟବସ୍ଥା ରଖା ଯାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଅନେକ ଆଶାୟୀ ଶିକ୍ଷକ ଅଫଲାଇନ ମାଧ୍ୟମରେ ବହୁ ପରିଶ୍ରମ କରି ଆବେଦନ କରିଥିଲେ। ଏଥି ନିମନ୍ତେ ଶିକ୍ଷକ ମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। କାରଣ ଅଫଲାଇନରେ ଦୁଇ ସେଟ୍ ଲେଖାଏଁ ଫଟୋ ଓ ଆନୁସଙ୍ଗିକ କାଗଜ ପତ୍ର ଦାଖଲ କରିଥିଲେ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାସ୍ତରୀୟ କମିଟି ଦରଖାସ୍ତ ଗୁଡିକୁ ଯାଞ୍ଚ ଓ ମୂଲ୍ୟାଙ୍କନ କରି ରାଜ୍ୟ ସ୍ତରକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଠାଇ ଥିଲେ। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ଆଜି ପର୍ଯ୍ୟନ୍ତ ସେହି ତିନି ବର୍ଷର ପୁରଷ୍କାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଆମ ରାଜ୍ୟର ଯୋଗ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଅନ୍ୟାନ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିବର୍ଷ ଶିକ୍ଷକ ସମାଜ ପୁରଷ୍କୃତ ହୋଇ ଆସୁଥିବା ବେଳେ ଓଡିଶା ସରକାରଙ୍କ ଶିକ୍ଷକ ମାନଙ୍କ ପ୍ରତି ଏହି ବୈମାତୃକ ମନୋଭାବ ଶିକ୍ଷକ ସମାଜକୁ ବ୍ୟଥିତ କରିଛି। ଆଗାମୀ ରାଜ୍ୟସ୍ତରୀୟ ଗୁରୁଦିବସ ପାଳନ ସମାରୋହରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷର ଯୋଗ୍ୟ ଶିକ୍ଷକଙ୍କୁ ପୁରଷ୍କୃତ କରିବା ନିମନ୍ତେ ପ୍ରତ୍ୟେକ ମହଲରୁ ଦାବି ହେଉଛି। ଓଡ଼ିଆ ଅସ୍ମିତା କୁ ପ୍ରାଥମିକତା ଦେଇ ଆସୁଥିବା ଆମ ନୂଆ ସରକାର ଓଡିଶାର ଶିକ୍ଷକ ସମାଜକୁ ସମ୍ମାନୀତ କରିବା ନିମନ୍ତେ ତତ୍ପର ହେବା ବିଧେୟ।