ପୁଣି ଥରେ ଖୋଲିଲା ବନ୍ଦ ଆଧାରକେନ୍ଦ୍ର

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି କାର୍ଯ୍ୟାଳୟରେ ଥିବା ଆଧାର କେନ୍ଦ୍ର ଦୀର୍ଘ ୬ ମାସ ହେବ ବନ୍ଦ ରହିଥିଲା। ବାଲିମେଳା ସମେତ  ଆଖପାଖ ଅଞ୍ଚଳବାସିନ୍ଦା ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ନିମନ୍ତେ ନାହିଁ ନଥିବା ହଇରାଣ ହେଉଥିଲେ। ସୁଦୂର ମାଲକାନଗିରି ଯାଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ଉଚିତ ଠିକଣା ନ ପାଇ ୨ ରୁ ୩ ଦିନ ଲାଗି ଯାଉଥିଲା ଆଧାର ସଂଶୋଧନ ନିମନ୍ତେ। ଏନେଇ ଗତ ୨ ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମ ତଥା ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଲା। ଏନେଇ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ମଧ୍ୟ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ଶେଷରେ ଆଧାର କେନ୍ଦ୍ର ପାଇଁ ଉପୁଜୁଥିବା ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଧାର କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଖୁସିର ବିଷୟ ଗତ ବୁଧବାର ଠାରୁ ଏନଏସି କାର୍ଯ୍ୟାଳୟ ନିକଟରେ ପୁନର୍ବାର ଆଧାର କେନ୍ଦ୍ର ଖୋଲା ଯିବାର ଦେଖିବାକୁ ମିଳିଛି। ପ୍ରତିଦିନ ଅପରାହ୍ନ ଦିନ ୨ ଟାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଏହି ଆଧାର ସେବା କେନ୍ଦ୍ର ଖୋଲାଯିବ ବୋଲି ଜଣାପଡିଛି। ଆଧାର କେନ୍ଦ୍ର ଖୋଲାଯିବା ଦ୍ୱାରା ବାଲିମେଳା ତଥା ଆଖପାଖ ଅଞ୍ଚଳବାସୀ ଆଶ୍ଵସ୍ତୀ ଅନୁଭବ କରିବା ସହ ଖୁସି ପ୍ରକଟ କରିଛନ୍ତି।

Post a Comment

Previous Post Next Post