ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପରିସରରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ ବଡ଼ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର ରବୀନ୍ଦ୍ର ମହାରଣା ଫାଇଲେରିଆ ରୋଗ କିପରି ବ୍ୟାପେ,ଏହାର ନିରାକରଣ ଓ ସଚେତନତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟକୁ ସଚେତନ କରାଇବା ସହ ନୟମିତ ଔଷଧ ସେବନ କରିବା ଏବଂ ପରିବେଶ ସୁସ୍ଥ ରଖି ସୁସ୍ଥ ଭାରତ ଗଠନ କରିବା ପାଇଁ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ। ଉକ୍ତ ସଂସ୍ଥାର କର୍ମଚାରୀ ମାନେ ପ୍ରତ୍ୟେକ ବିଦ୍ୟାଳୟ, ଗ୍ରାମପଞ୍ଚାୟତ, ଥାନା ଏବଂ ଗାଁ ଗାଁ କୁ ଯାଇ ଫାଇଲେରିଆ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି। ସଚେତନତା କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଥାନା ଅଧିକାରୀ ବିଜୟ ସ୍ୱାଇଁ, ଏସ ଆଇ ଗୋପାଳ କୃଷ୍ଣ ପାଢ଼ୀ, କାର୍ଡ ସଂସ୍ଥାର ରବୀନ୍ଦ୍ର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁର ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସମେତ ସ୍ଥାନୀୟ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


