ଦୟନୀୟ ଅବସ୍ଥାରେ ମାଲକାନଗିରି ମଡ଼େଲ ଡିଗ୍ରୀ କଲେଜ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ଓଡ଼ିଶାର ଉପାନ୍ତ, ଅନଗ୍ରସର ତଥା ଆଦିବାସୀ ବହୁଳ ଅଞ୍ଚଳର ତାଲିକାରେ ପ୍ରଥମେ ଆସୁଥିବା ମାଲକାନଗିରି ଜିଲ୍ଲାର ବିକାଶ ନିମନ୍ତେ ସରକାର ୨୦୧୬ ମସିହାରେ ଏକ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ' ଜିଲ୍ଲାବାସୀଙ୍କୁ ଅର୍ପଣ କରିଥିଲେ। ସେ ସମୟରେ ସମସ୍ତ ଅଞ୍ଚଳବାସୀଙ୍କ ମନରେ ଆଶାର ଆଲୋକ ଝଲସି ଉଠିଥିଲା। '' ଯା' ହଉ ଏଥର ଆମ ପୁଅ-ଝିଅ ପାଠ ପଢି ମଣିଷ ହେବେ'' । କିନ୍ତୁ ଦୁଃଖର କଥା କଲେଜ ହେବାର ଆଠ ବର୍ଷ ପରେ ମଧ୍ୟ ପରିଚାଳନା ପାଇଁ ସ୍ଥାୟୀ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଦିଆଯାଇ ପାରିନାହିଁ । ଆଜି ବି କଲେଜ ପାଇଁ କନିଷ୍ଠ କିରାଣୀ, ପାଠାଗାର ପରିଚାଳକ, ପାଠଗାର ସଂରକ୍ଷକ, ବିଜ୍ଞାନର ସମସ୍ତ ବିଭାଗ ପରୀକ୍ଷାଗାର ସଂରକ୍ଷକ ଏପରିକି ପିଅନ ସୁଦ୍ଧା ନିଯୁକ୍ତି ଦିଆଯାଇନାହିଁ।କେବଳ ଏତିକି ନୁହେଁ ପନ୍ଦରଟି ବିଭାଗରେ୧୨ଟି ସ୍ଥାୟୀ ସହକାରୀ ପ୍ରାଧ୍ୟାପକ କର୍ମରତ ଥିବାବେଳେ ବାକି ସବୁଥିରେ ଅତିଥି ଅଧ୍ୟାପକ କାର୍ଯ୍ୟଭାର ସମ୍ଭାଳୁଛନ୍ତି।  ପୁଣି ଗତ ବର୍ଷଠାରୁ ଚାରୋଟି ନୂତନ(ଓଡ଼ିଆ, ଇଂରାଜୀ, ଇତିହାସ ଓ ମନସ୍ତତ୍ତ୍ୱ) ବିଭାଗ ଖୋଲା ହେବା ପରେ ବି ସ୍ୱତନ୍ତ୍ର ପ୍ରଶାସନିକ ପ୍ରକୋଷ୍ଠଟିଏ ବ୍ୟବସ୍ଥା ହୋଇପାରିନାହିଁ । ନୂତନ ଭାବରେ ଚାରୋଟି ବିଭାଗ ଖୋଲାହେବା ପରେ ପିଲା ସଂଖ୍ୟା ପାଖାପାଖି ୧୨୦୦ରୁ ୧୫୦୦କୁ ବୃଦ୍ଧି ପାଇଛି । ତେଣୁ ଶ୍ରେଣୀ ଗୃହର ମଧ୍ୟ ଅଭାବ ଦେଖାଦେଇଛି । 

ସହରଠାରୁ ଦୂରରେ ତଥା ନଈକୂଳର୍ବତ୍ତୀ ନିଛାଟିଆ ସ୍ଥାନରେ କଲେଜଟି ରହିଛି। ଏ କ୍ଷେତ୍ରରେ ପିଲାମାନଙ୍କ ସୁରକ୍ଷା ପାଇଁ ସୁଉଚ୍ଚ ଫାଟକ ଏବଂ ପାଚେରୀର ଆବଶ୍ୟକତା ରହିଥିବାବେଳେ ଏଠି ଜଗୁଆଳି ମଧ୍ୟ ନାହାନ୍ତି। ଏ କଲେଜକୁ ବହୁ ଦୂରଦୂରାନ୍ତ(ଉତ୍ତରରେ ମାଥିଲି, ଦକ୍ଷିଣରେ କାଲିମେଳା)ରୁ ଗରିବ ପିଲା ପାଠ ପଢିବାକୁ ଆସନ୍ତି । ବର୍ଷା ଝଡ଼ତୋଫାନ ହେଲେ କଲେଜ ସଂପୂର୍ଣ୍ଣ ପିଲାଶୂନ୍ୟ ହେଇଯାଏ । ଯଦିଓ ଏଠି ଗରିବ ତଥା ଦୂରବର୍ତ୍ତୀ ପିଲାଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କର୍ମଚାରୀ ଅଭାବରୁ ପରିଚାଳନା କରିବା ସମ୍ଭବପର ହୋଇପାରୁନାହିଁ । ତେଣୁ ସରକାର ଏସବୁ ପ୍ରତି ଦୃଷ୍ଟି ଦେଲେ ମାଲକାନଗିରି ଜିଲ୍ଲାର ଉନ୍ନତି ସାଧିତ ହେବା ସହିତ ଗରିବ ପିଲାମାନେ ସଠିକ୍‌ ଭାବରେ ପାଠ ପଢିବାର ସୁଯୋଗ ପାଇପାରିବେ ।

Post a Comment

Previous Post Next Post