ଆଧାର କେନ୍ଦ୍ରରେ ଝୁଲୁଛି ତାଲା ; ଅଞ୍ଚଳବାସୀ ହନ୍ତସନ୍ତ

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ  ଆଧାରରୁ ବଞ୍ଚିତ ଅଞ୍ଚଳବାସୀ । ସୂଚନା ଅନୁଯାୟୀ ଆଜିର ଦିନରେ ପ୍ରତି କ୍ଷେତ୍ରରେ ଆଧାର କାର୍ଡକୁ ଅନିର୍ବାଯ୍ୟ କରାଯାଇଥିବା ବେଳେ କିନ୍ତୁ ବାଲିମେଳା ଭଳି ସହରରେ ଆଧାର କେନ୍ଦ୍ର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାର ନଜରକୁ ଆସିଛି । ଯଦି ସହରାଞ୍ଚଳରେ ଏଭଳି ପରିସ୍ଥିତି ରହିଛି ତାହେଲେ ଗ୍ରାମାଞ୍ଚଳର ଚିତ୍ର ଆପଣ ନିଶ୍ଚିତ ଭାବେ ଜାଣି ପାରୁଥିବେ। ପାଖାପାଖି ୫୦ କିଲୋମିଟର ପରିଧି ମଧ୍ୟରେ ଆଧାର କେନ୍ଦ୍ର ଗୁଡିକ ଅଚଳ ହୋଇ ପଡିଥିବାରୁ ଆଧାର ନପାଇ ସରକାରୀ ବେସରକାରୀ ସ୍ତରରେ ସୁବିଧାରୁ ବଞ୍ଚିତ ସାଧାରଣ ଜନତା । ବିଶେଷ କରି ବାଲିମେଳା ଅଞ୍ଚଳବାସୀଙ୍କ ସହିତ ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ଆଧାର ଆବେଦନ , ସଂଶୋଧନ ଏବଂ ଆଧାର ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସି ଫେରି ଯାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସର୍ବପୁରାତନ ସହର ଭାବେ ବାଲିମେଳା ସହର ପରିଚିତ ହେଲେ ଅଧିକାଂଶ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ପରିଲିଖିତ ହେଉଛି । ବାଲିମେଳାର ପୋଷ୍ଟ ଅଫିସ ଓ ଏନ ଏ ସି କାର୍ଯ୍ୟାଳୟରେ ଆଧାର ସମ୍ବନ୍ଧିତ କାର୍ଯ୍ୟ ହେଉଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବରେ ବନ୍ଦ । ସାଧାରଣ ଖଟିଖିଆ ମଜୁରିଆ ଓ ଗରିବ ଶ୍ରେଣୀର ଲୋକେ ଆଧାର କାର୍ଯ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତ ହୋଇ ଜିଲା ସଦର ମହକୁମାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆଧାର କେନ୍ଦ୍ର କେଉଁଠି ଅଛି , କେଉଁଠି ଆବେଦନ କରିବେ ତା'ର ସଠିକ ସୂଚନା କେହି ପାଇ ପାରୁନାହାନ୍ତି ଜନସାଧାରଣ। ଶେଷରେ ଆର୍ଥିକ କଷ୍ଟ ସହ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ସାଧାରଣରେ ଦାବି ହୋଇଛି ଯେ ଯଥା ଶୀଘ୍ର ବାଲିମେଳା ସହରରେ ଆଧାର କେନ୍ଦ୍ର ନିର୍ଦ୍ଧିଷ୍ଟ ସ୍ଥାନ ନିରୁପଣ କରିବା ସହ ଏହାର ତଥ୍ୟ ସାଧାରଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Post a Comment

Previous Post Next Post