ବୁଗୁଡ଼ା ବନାଞ୍ଚଳ କାଠ ମାଫିଆଙ୍କ କବଜାରେ , ନାମକୁ ମାତ୍ର ରହିଛି ବନ ବିଭାଗ !

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବୁଗୁଡା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ସଂପ୍ରତି ବୁଗୁଡ଼ା ବନାଞ୍ଚଳରେ କାଠ ମାଫିଆଙ୍କ ସକ୍ରିୟତା ଏବଂ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ପ୍ରତ୍ୟେକ ଦିନ ଜଙ୍ଗଲରୁ ଗଛକଟା ସାଙ୍ଗକୁ ଚୋରାରେ କାଠ ଚାଲାଣ ଚାଲିଥିବା ବେଳେ ବନ ବିଭାଗ ଧୃତରାଷ୍ଟ୍ର ସାଜିଛି । ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲର ଆଭ୍ଯନ୍ତରୀଣ ଭାଗରେ ଥିବା ମୂଲ୍ଯବାନ ଗଛକୁ କାଟି କାଠ ଗଣ୍ଡିଗୁଡ଼ିକୁ ସେଠାକାର ଲଟାବୁଦାରେ ଲୁଚାଇ ରଖୁଛନ୍ତି ଏବଂ କାଳବେଳ ଦେଖି ସେଗୁଡିକୁ ଉଠାଇ ନେଉଛନ୍ତି । ବିଳମ୍ବିତ ରାତିଠୁ ପାହାନ୍ତିଆ ପର୍ଯ୍ୟନ୍ତ ଅବଧି ବନ କର୍ମଚାରୀଙ୍କ ପାଇଁ ବିଶ୍ରାମ କାଳ ହୋଇଥିବା ବେଳେ ମାଫିଆଙ୍କ ପାଇଁ ଚୋରା କାଠ ଚାଲାଣର ଅନୁକୂଳ ସମୟ ହୋଇଛି । କେବଳ ଏହି ସମୟ ନୁହେଁ ସ୍ପଷ୍ଟ ଦିବାଲୋକରେ ମଧ୍ୟ ସଡକ ପଥରେ ଖୁଲମଖୁଲା ଚୋରା କାଠ ଚାଲାଣ ହେଉଥିବା ଲୋକଙ୍କ ଆଖିରେ ପଡୁଥିବା ବେଳେ ବନ କର୍ମଚାରୀଙ୍କ ନଜରକୁ କିପରି ଆସୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଏପଟେ ବନ ବିଭାଗ ପକ୍ଷରୁ ପ୍ରତି ବର୍ଷ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ ଏବଂ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସେପଟେ ବର୍ଷ ତମାମ କାଠ ମାଫିଆଙ୍କ ତରଫରୁ ବୃକ୍ଷ ଛେଦନ କାର୍ଯ୍ୟ ଚାଲିଥିବାରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାର ମୁଖ୍ୟ କାରଣ ବନ କର୍ମଚାରୀ ଏବଂ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାର ଫଳ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ଅଦକ୍ଷତା ଓ ନିଷ୍କ୍ରିୟତା ଅନ୍ଯତମ କାରଣ  ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

ଅନ୍ୟପକ୍ଷରେ, ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଚିହ୍ନଟ ସକ୍ରିୟ କାଠ ମାଫିଆଙ୍କ ବିଚରଣ ଏବଂ ବନ କର୍ମଚାରୀମାନଙ୍କ ସହ ମିଳାମିଶା ଏକ ସାଧାରଣ ଘଟଣା ପାଲଟିଥିବା ବେଳେ କାଠ ଚୋରା ଚାଲାଣ ସମ୍ପର୍କେ ଲୋକେ ଜାଣୁଥିଲେ ସୁଦ୍ଧା ବନ ବିଭାଗକୁ ଖବର ଦେଇ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ କେହି ଚାହୁଁନାହାନ୍ତି । ବୁଗୁଡ଼ା ଅଞ୍ଚଳର ଶୁଳିଆପଲ୍ଲୀ-କାନସାରଳା ରାସ୍ତା , ମାଣିତରା-କରସିଙ୍ଗି ସଂଯୋଗୀକରଣ ରାସ୍ତା , ମାଣିତରା-କରସିଙ୍ଗି ସଂଯୋଗୀକରଣ ରାସ୍ତା , ଗାନ୍ଧୀଗ୍ରାମ-କୁଞ୍ଜବନ ରାସ୍ତା  , କୁଆଁନଳା-ରତନେଇ ରାସ୍ତା , ବେତାରସିଂ ରାସ୍ତା , ମୋଟାବାଡ଼ି-ନାଗିରି-ଠଣାପଲ୍ଲୀ ରାସ୍ତା , ମାଧପଲ୍ଲୀ-ସମଲେଈ ରାସ୍ତା , କଇମ-ପାଣିକେଶ୍ୱର ରାସ୍ତା , ଆମ୍ବିଳିଝର ରାସ୍ତା ଇତ୍ଯାଦି କାଠ ମାଫିଆଙ୍କ ଚୋରା ବାଟ ହୋଇଥିବା ବେଳେ ବନ କର୍ମଚାରୀଙ୍କ ପାଇଁ ପାଉଣା ଆଦାୟ ମାର୍ଗ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସଂପ୍ରତି ଜଙ୍ଗଲ କ୍ଷୟ ଜଳବାୟୁ ପରିବର୍ତ୍ତନର ଅନ୍ଯତମ କାରଣ ପାଲଟିଥିବା ବେଳେ ଅରଣ୍ୟର ସୁରକ୍ଷା ସାଙ୍ଗକୁ ସାମାଜିକ ବନୀକରଣ ନିମନ୍ତେ ସରକାରୀ ତହବିଲରୁ ଅଜସ୍ର ଅର୍ଥ ବ୍ଯୟ ହେଉଥିବା ହେତୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ପ୍ରଶାସନିକ ଅକ୍ଷମତା ଏବଂ ଅଧିକାଂଶ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ବୁଗୁଡ଼ା ବନାଞ୍ଚଳ କାଠ ମାଫିଆଙ୍କ କବଜାରେ ରହିଥିବା ଭଳି ମନେ ହେଉଛି । ତେଣୁ, ବନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବୁଗୁଡ଼ା ବନାଞ୍ଚଳର ସୁରକ୍ଷା ପାଇଁ ବର୍ତ୍ତମାନର କାର୍ଯ୍ୟରତ ଅଧିକାରୀଙ୍କୁ ସ୍ଥାନାନ୍ତର କରି ତାହା ବଦଳରେ ଜଣେ ସୁଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଅନ୍ୟ କର୍ମଚାରୀଙ୍କ କାର୍ଯ୍ୟଧାରାର ସମୀକ୍ଷା ପୂର୍ବକ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି । ଯଦି ଉଚ୍ଚ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଦାବିକୁ ସହୃଦୟ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବୁଗୁଡ଼ା ବନାଞ୍ଚଳ ବୃକ୍ଷ ବିହୀନ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Post a Comment

Previous Post Next Post