ଆମ୍ବ ତୋଳୁଥିବାବେଳେ ଗଛରୁ ଖସି ପଡି ଯୁବକଙ୍କ ମୃତ୍ୟୁ


କନ୍ଧମାଳ:(ମୋ ନ୍ୟୁଜ ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):  ଆମ୍ବ ତୋଳିବା ପାଇଁ ଗଛକୁ ଚଢିବା ହେଲା କାଳ । ଆମ୍ବ ତୋଳୁଥିବା ବେଳେ ଗଛରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାଟି ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ବବଡଙ୍ଗିଆ ଗ୍ରାମରେ। ମୃତକ ଜଣକ ହେଲେ ମିଥୁନ ପ୍ରଧାନ । ସେ ବିବାହିତ ଓ ତାଙ୍କର ଦୁଇବର୍ଷର ଏକ ପୁତ୍ର ସନ୍ତାନ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ମିଥୁନ ଓ ତାଙ୍କ ସ୍ତ୍ରୀ ନିଜ ଗାଁ ପାଖରେ ଥିବା ଆମ୍ବତୋଟାକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ । ଗଛ ତଳେ ସ୍ତ୍ରୀ ଆମ୍ବ ଗୋଟାଇବା ପାଇଁ ରହିଥିବାବେଳେ ମିଥୁନ ଗଛରେ ଚଢ଼ିଥିଲେ । ତେବେ ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସି ଯିବାରୁ ସେ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ       ନିଆ ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସାନ ଭାଇ ଏତଲା ଦେବା ପରେ ଏଏସଆଇ ମିନି ମହାକୁଡ଼ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରୀ ରଖିଥିବା  ବିଷୟ  ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Post a Comment

Previous Post Next Post