ହିଞ୍ଜିଳିକାଟୁ(ମୋ ନ୍ୟୁଜ ଓଡିଶା ): ନିର୍ବାଚନ ପୂର୍ବରୁ ଲମ୍ବିତ ଜନ ହିତକର ପ୍ରକଳ୍ପ ଶେଷ କରି ସରକାରଙ୍କ ପ୍ରିୟଭାଜନ ହେବା ପାଇଁ ବିଭିନ୍ନ ବିଭାଗରେ ଏକ ରକମ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ବହୁଦିନ ଧରି ମନ୍ଥର ପ୍ରକ୍ରିୟାରେ ଚାଲିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ହଠାତ୍ ବେଗ ଧରି ଦୃତ ଗତିରେ ସମ୍ପନ୍ନ ହେବା ଅଭିମୁଖେ ବଢ଼ିଚାଲିଛି। ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ୧୬ ନଂ ୱାର୍ଡ ଗାୟତ୍ରୀ ନଗର ତୃତୀୟ ସରଣୀରେ ଦୀର୍ଘ ଦିନ ଧରି ୱାଟକୋ ତରଫରୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍ ବିଛାଇବା କାମ ଆରମ୍ଭ ହୋଇଥିଲା। ପାଇପ ଲାଇନ୍ ବିଛାଇବା ପାଇଁ ଦୀର୍ଘ ଦିନ ଧରି ସାହିର ରାସ୍ତା ଖୋଳି ଛାଡ଼ି ଦିଆ ଯାଇଥିବା ବେଳେ ଅନେକ ସମୟରେ ଏହି କାରଣରୁ ଛୋଟ ମୋଟ ଦୁର୍ଘଟଣା ଘଟୁଥିବାରୁ ତ୍ୱରିତ ରାସ୍ତା ମରାମତି ସକାଶେ ସହିବାସିନ୍ଧା ଦାବୀ କରି ଆସୁଥିଲେ। ସେହିପରି ନିନ୍ମମାନର ନିର୍ମାଣ ପ୍ରକ୍ରିୟା କାରଣରୁ ଅଞ୍ଚଳବାସୀଙ୍କ ବିରୋଧ ଫଳରେ ପୂର୍ବରୁ ଥରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ତେବେ ଶୁକ୍ରବାର ଏହି କାରଣରୁ ଜଣେ ମହିଳା ଦୁର୍ଘଟଣାର ଶିକାର ହୋଇଛନ୍ତି। ସେହି ସାହିର ସୁଦେଷ୍ଣା ସାହୁ (୩୫) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣଙ୍କ ନିନ୍ମ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତଦନ୍ତ ପୂର୍ବକ ତାଙ୍କୁ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ସେହିପରି ଦୁର୍ଘଟଣା ଘଟିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
Mo News Odisha


