କୃଷ୍ଣପ୍ରସାଦ - (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ରୁକ୍ମଣୀ ଦେବୀ ଚିଲିକା ଡିଗ୍ରୀ ବିଦ୍ୟାଳୟ ନୂଆପଡାରେ ୮ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପ୍ରଥମ ବର୍ଷର ମୋଟ ୭୦ ଜଣ ଛାତ୍ରୀ ଭାଗ ନେଇ ପ୍ରଶିକ୍ଷିକା ମନୋସ୍ମିତା ତରେଇଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । କଲେଜ ଅଧ୍ୟକ୍ଷ ଧର୍ମାନନ୍ଦ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ଯୋଗଦେଇ ଆତ୍ମରକ୍ଷା କୌଶଳ ତାଲିମର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଶିବିର ସଂଯୋଜିକା ବରିଷ୍ଠ ଅଧ୍ୟାପିକା ବାସନ୍ତୀ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ କୁମାର ଜେନା, ଗୋପାଳ କୃଷ୍ଣ ଜେନା, ବରିଷ୍ଠ କିରାଣୀ ଲକ୍ଷ୍ମୀଧର ପ୍ରଧାନ, ଗ୍ରନ୍ଥାକାର ଦୁଷ୍ମନ୍ତ କୁମାର ପ୍ରଧାନ, ଅଧ୍ୟାପକ ନଳିନୀକାନ୍ତ ପାହାଣ, ମନୋଜ ପ୍ରଧାନ, ସନାତନ ତରେଇ ପ୍ରମୁଖ ଯୋଗ ଦେଇଥିଲେ । ଆତ୍ମରକ୍ଷା କୌଶଳ ଶିକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।


