କୃଷ୍ଣପ୍ରସାଦ - (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ସ୍ଥିତ ନାରାୟଣ ବିଦ୍ୟାପୀଠ ପରିସରରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ମନୋରମା ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରକଳ୍ପ ସ୍ତରୀୟ କିଶୋରୀ ବାଳିକା ମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ଦୀପ୍ତିରାଣୀ ଦଣ୍ଡପାଟ, ଲୀନା ମହାପାତ୍ର,ସହକାରୀ ଶିକ୍ଷୟତ୍ରୀ ଅମ୍ବିକା ନାୟକ, ଅଳକା ଆଚାରୀ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା ଦକ୍ଷତା, ଆତ୍ମ ବିଶ୍ୱାସ ଓ ନିଜ ସୁରକ୍ଷା ପ୍ରତି ସଚେତନ ରହିବାର ଆବଶ୍ୟକତା ବିଷୟରେ ଉଦବୋଧନ ଦେଇଥିଲେ । ଶିବିରରେ ବିଦ୍ୟାଳୟର ୫୦ ଜଣ ଛାତ୍ରୀ ଭାଗନେଇଥିବା ବେଳେ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଅଶୋକ କୁମାର ସାମଲ ସେମାନଙ୍କୁ ବ୍ୟବହାରିକ ଆତ୍ମ ରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ତାଲିମ ଶିବିର ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ସିଡିପିଓ ମନୋରମା ମହାପାତ୍ର ପ୍ରକାଶ କରିଛନ୍ତି ।


