କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଘୋଟାଲା!
ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ସରକାରୀ ବିଦ୍ୟାଳୟକୁ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଆକୃଷ୍ଟ ହେବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ମାଗଣାରେ ପୋଷାକ, ଯୋତା, ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଦ୍ୟାଳୟ ସ୍ତରରେ କିଛି ଅସାଧୁ ଶିକ୍ଷକଙ୍କ ପାଇଁ ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲା କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ପ୍ରତି ସପ୍ତାହରେ ସୋମ, ବୁଧ ଓ ଶୁକ୍ରବାର ପିଲାମାନଙ୍କୁ ଅଣ୍ଡା ଦିଆଯିବାକୁ ନିୟମ ରହିଛି। କିନ୍ତୁ ଏହି ନିୟମକୁ ଅଣଦେଖା କରି ଅଣ୍ଡା ବଦଳରେ ଫଳ ଦେଉଛନ୍ତି ପ୍ରଧାନ ଶିକ୍ଷକ। ଯାହାକୁ ନେଇ ଉପୁଜିଛି ବିବାଦ। ଖାଲି ସେତିକି ନୁହେଁ ଅଣ୍ଡା କାହିଁକି ଦିଆଯାଉନି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କଲେ ବୁଧବାର ଓ ଶୁକ୍ରବାର ଅଣ୍ଡା ବଦଳରେ ଦିଆଯାଉଛି ଗୋଟିଏ କଦଳୀ ଓ ଫାଳେ ସେଓ। ପ୍ରଧାନ ଶିକ୍ଷ୍ୟକଙ୍କ ସୂର୍ଯ୍ୟ ନାରାୟଣ ଜେନାଙ୍କ କହିବା କଥା ଅଣ୍ଡା ବାବଦକୁ ଟକାଂ ଆସୁନି। ସେପଟେ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନିବାକୁ ନାରାଜ ଖୋଦ୍ ବେଗୁନିଆପଡ଼ା ବ୍ଲକ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ। ପ୍ରଧାନ ଶିକ୍ଷକ ମନଗଢ଼ା କାହାଣୀ କହୁଛନ୍ତି ବୋଲି କହିଛନ୍ତି ବିଇଓ। କୌଣସି ପର୍ବପର୍ବାଣୀ ରେ ଯଦି ଅଣ୍ଡା ବାର ପଡେ ସେହି କ୍ଷେତ୍ରରେ ଫଳ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଅଣ୍ଡା ନଦେଇ ପିଲାମାନଙ୍କୁ ନିରାଶ କରୁଥିବା ଅଭିଯୋଗ ହୋଇଛି। ସରକାରୀ ଗାଇଡ୍ ଲାଇନ୍ କୁ କାହିଁକି ମାନୁ ନାହାଁନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ। ବିଇଓ କହିଛନ୍ତି ତଦନ୍ତ କରିବେ। ଏପଟେ ପରିଦର୍ଶନ ରେ ଯାଉଥିବା ସିଆରସିସି କଣ କରୁଛନ୍ତି ତାକୁ ନେଇ ଉଠୁଛି ପ୍ରଶ୍ନ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରଧାନ ଶିକ୍ଷକ କୁଆଡେ ବଦଳି ପାଇଁ ରିଲିଫ ଅର୍ଡ଼ର ଜାରି ହୋଇଥିଲେ ମଧ୍ୟ ସେ ଏହି ସ୍କୁଲକୁ ଛାଡୁ ନାହାନ୍ତି। ପୁରା ଅଭିଯୋଗର ତଦନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା କରିବାକୁ ଦାବି କରିଛନ୍ତି ଅଭିଭାବକ।


