(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଦିନକୁ ଦିନ ଚୋରି, ସିନ୍ଧି ଚୋରି, ରାହାଜାନୀ, ଡ଼କାୟତି , ହତ୍ୟା ,ସାଇବର କ୍ତାଇମ, ମାରପିଟ , ଦାଦା ବଟି , ନକଲି ଦ୍ରବ୍ୟ ପ୍ରସ୍ତୁତି ଏଵଂ ଚୋରା ମଦ ଓ ମାଦକ ଦ୍ରବ୍ୟର ବ୍ୟାପକ କାରବାର ପ୍ରଭୂତି ବଢ଼ି ଚାଲି ଥିବାରୁ ବୁଦ୍ଧିଜୀବି ମହଲ ଚିନ୍ତା ପ୍ରକଟ କରିବା ସହ ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ବିଶେଷ କରି ଚୋରମାନେ ତାଲା ବନ୍ଦ ଘର,,ବରିଷ୍ଠ ନାଗରିକ ଓ ସ୍ଥଳ ବିଶେଷରେ ମନ୍ଦିର ଭଳି ଧାର୍ମିକ ସ୍ଥଳକୁ ଟାର୍ଗେଟ କରୁଥିବାରୁ ସ୍ଥିତି ମେଇ ଉଦବେଗ ପ୍ରକାଶ ପାଉଛି। ଏଥିରେ ସ୍ଥାନୀୟ ଅପରାଧୀ ସହ ବେଆଇନ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ସମ୍ପୃକ୍ତି ସମ୍ଭାବନା ନେଇ ସନ୍ଦେହ ସୃଷ୍ଟି ହେଉଥିବାରୁ ପୋଲିସ ପାଇଁ ଏହାକୁ ରୋକିବା ଏକ ଆହ୍ଵାନ ହେଇଛି। ଅଧିକନ୍ତୁ ପାର୍ବଣ ଋତୁରେ ବିଶେଷ କରି ଏହି ସବୁ ଅପରାଧିକ କାର୍ଯ୍ୟକଳାପରେ ତୁଳନାତ୍ମକ ଭାବରେ ଆହୁରି ବୃଦ୍ଧି ପାଇଥାଏ । ସେହିଭଳି ଏଠାକାର ବିପର୍ଯ୍ୟସ୍ତ ହୋଇଯାଇଥିବା ଟ୍ରାଫିକ ବ୍ୟବସ୍ଥାକୁ ଏବେଠାରୁ ନସଜାଡ଼ିଲେ ସ୍ଥିତି ଆଗକୁ ଆହୁରି ଗମ୍ଭୀର ହେଇଯିବ । ଏହାକୁ ରୋକିବା ନିମନ୍ତେ ପୋଲିସ ପକ୍ଷରୁ ଯଦି ଏବେଠାରୁ ଦୃଢ଼ ଓ ଅଭିନବ ପଦକ୍ଷେପ ନିଆଯିବା ଦରକାର । ସହରରେ ଓ ସହର ତଳି ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗେଇବା ନିମନ୍ତେ ପ୍ରଥମତଃ ପୋଲିସକୁ ଘଟଣା ଘଟିବା ପରେ ପ୍ରତିକ୍ରିୟା ( ପୋଷ୍ଟ ରିଏକ୍ଟିଭ) ଦେଖେଇବା ବଦଳରେ ଘଟଣା ଘଟିବା ପୁର୍ବରୁ ପ୍ରୋଏକ୍ଟିଭ ହୋଇ ତାହାକୁ କିଭଳି ଆଗୁଆ ପ୍ରତିରୋଧ ( ପ୍ରିଭେଣ୍ଟିବ) କରି ହେବ ତାହା ଉପରେ ଗୁରୁତର ସହ ଧ୍ୟାନ ଦିଆଯିବା ଦରକାର । ଏଥିନିମନ୍ତେ ପାରମ୍ପରିକ ଜ୍ଞାନ, ପଦ୍ଧତି ଓ କଳା କୌଶଳକୁ ପରିହାର କରି ନିଜର ଗୁଇନ୍ଦା ବିଭାଗକୁ ସଶକ୍ତ କରିବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ପ୍ରଯୁକ୍ତି ବିଦ୍ୟା, ଡ୍ରୋନ ଓ କୁତ୍ରିମ ବୁଦ୍ଧିମତା ଜ୍ଞାନକୁ ଅପରାଧ ନିୟନ୍ତ୍ରଣ,ଦମନ ଓ ଅନୁସନ୍ଧାନ କାର୍ଯ୍ୟରେ ବ୍ୟବହାର କରିବା ଉଚିତ। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧୀ ଚିହ୍ନଟ ନିମନ୍ତେ ଏଆଇ କ୍ଷମତା ଯୁକ୍ତ ସିସି ଟିଭି କ୍ୟାମେରା ସହରର ସବୁ ପ୍ରମୁଖ ଓ ସମ୍ବେଦନଶୀଳ ଜାଗାରେ ଲଗେଇବା ଦରକାର। ପୋଲିସ ପତ୍ରୋଲିଂ କୁ ତ୍ଵରାନିତ କରାଯିବା ସହ ପାଦ ଚଲା ( ଫୁଟ) ପେଟ୍ରୋଲିଂ ଓ ମୋ ପୋଲିସ ଭଳି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ୱ ଦିଆଯାଉ। ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ସ୍ୱରୂପ ଚିହ୍ନଟ କରି ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଉ। ମାଦକ ଦ୍ରବ୍ୟ କାରବାର ଉପରେ ଓ ମଦୁଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିନିମନ୍ତେ ଅବକାରୀ ବିଭାଗକୁ ସକ୍ରିୟ କରାଯାଇ ଉତ୍ତର ଦାୟିତ୍ଵ ନିର୍ଦ୍ଧାରଣ କରାଯାଉ। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଅସ୍ଥାୟୀ ପୋଲିସ ବିଟ୍ ହାଉସ ସ୍ଥାପନ କରି ପୋଲିସ ନିଜକୁ ଜନସାଧାରଣଙ୍କ ବନ୍ଧୁ ଓ ସେବା ପ୍ରଦାନ ନିମନ୍ତେ ସଦା ପ୍ରସ୍ତୁତ ବୋଲି ସମାଜକୁ ବାର୍ତ୍ତା ଦେଉ। ଏହିଭଳି କିଛି ପଦକ୍ଷେପ ଗ୍ରହଣ କରି ପୋଲିସ ନିଜର ଦକ୍ଷତା ପ୍ରତିପାଦନ କରି ଜନସାଧାରଣଙ୍କୁ ସୁରକ୍ଷା ଓ ନିରାପତ୍ତାର ଭାବନା ଓ ମାହୋଲ ସୃଷ୍ଟି କରି ବିଶ୍ଵାସ ଭାଜନ ହେଉ । ଯଦିଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ବିବେକ ଶ୍ରବଣ ଏମ୍ ବୃତ୍ତିଗତ ଭାବେ ଜଣେ ଦକ୍ଷ, ପ୍ରବୀଣ, ପାରଙ୍ଗମ , ସ୍ବଚ୍ଛ ଅଧିକାରୀ ସହ ଜଣେ ସରଳ ଓ ଅମାୟିକ ବ୍ୟକ୍ତିତ୍ଵ ରୁପେ ଜଣାଶୁଣା କିନ୍ତୁ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ତଥା ଥାନା ଅଧିକାରୀ ଓ ତଳିଆ ପୋଲିସ କର୍ମଚାରୀଙ୍କ ଆସହଯୋଗ , ଅସାଧୁତା ଓ ବୃତ୍ତିଗତ ଦକ୍ଷତା ପ୍ରତିପାଦନରେ ବିଫଳତା ଯୋଗୁଁ ଯେଉଁ ସଫଳତା ମିଳିବା କଥା ତାହା ସମ୍ଭବ ପର ହୋଇ ପାରୁ ନାହିଁ। ଏ ସବୁକୁ ଦୃଷ୍ଟିକୁ ନେଇ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଓ ସରକାର ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ପୋଲିସ ବ୍ୟବସ୍ଥାରେ ସଂସ୍କାର ଓ ପୋଲିସର କାର୍ଯ୍ଯଶୈଳିରେ ପରିବର୍ତ୍ତନ ଆଣିବା ବିଚାରକୁ ନେଇ ବିହୀତ ପଦକ୍ଷେପ ନେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରସ୍ତାବ ଦେଇ ନିବେଦନ କରିଛନ୍ତି ।


