ଭଞ୍ଜନଗର(ଚିନ୍ମୟ କୁମାର ବେବର୍ତ୍ତା) ବହୁଦିନର ଅପେକ୍ଷାପରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ସ୍ୱାୟତ୍ତ ଶାସନ ଦିବସ ଅବସରରେ ଗଞ୍ଜାମ ଜିଲାସ୍ଥିତ ଭଞ୍ଜନଗର ଏନ୍ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିଛି। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଜଗନ୍ନାଥପ୍ରସାଦକୁ ନୂତନ ଏନ୍ଏସି ଘୋଷଣା କରାଯାଇଛି। ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ। କିନ୍ତୁ ତାହା ସରକାର ପରିବର୍ତ୍ତନ ପରେ କାର୍ଯ୍ୟକାରୀ ହୋଇପାରି ନ ଥିଲା। କେବଳ ଭାଷଣରେ ସୀମିତ ଥିଲା ବୋଲି ବିରୋଧୀ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ସମୟ ମଧ୍ୟରେ ଚିଠି ଦିଆନିଆ ଚାଲିଥିଲା। କିନ୍ତୁ ମ୍ୟୁନିସିପାଲିଟି ମାନ୍ୟତା ମିଳିିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଭଞ୍ଜନଗର ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଅଞ୍ଚଳବାସୀ ପକ୍ଷରୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଭଞ୍ଜନଗରକୁ ମ୍ୟୁନିସିପାଲିଟି ଓ ଘୁମୁସର ଜିଲ୍ଲା ପାଇଁ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ରହି ଆସୁଥିଲା। କିନ୍ତୁ ସରକାର କେବଳ ଭଞ୍ଜନଗରକୁ ମ୍ୟୁନିସିପାଳିଟି ଘୋଷଣା କରି ଘୁମୁସର ଜିଲ୍ଲାକୁ ଭୁଲି ଗଲେ। ତେଣୁ ଦେଖିବାକୁ ବାକି ରହିଲା ସରକାର କେବେ ଘୁମୁସର ଜିଲ୍ଲା ଘୋଷଣା କରିବେ।
Tags:
ଆଞ୍ଚଳିକ.


