ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗୁରୁ ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଏକ ପବିତ୍ର ବନ୍ଧନ ଅଟେ। ଏ ଦେଶର ଶିକ୍ଷା ପ୍ରଣାଳୀ ପ୍ରାଚୀନ କାଳରେ ଉନ୍ନତ ଧରଣର ଥିଲା। ଶିଷ୍ୟମାନେ ଗୁରୁକୁଳ ଆଶ୍ରମ ମଧ୍ୟରେ ରହି ଗୁରୁଙ୍କର ସେବା କରି ଶିକ୍ଷାଲାଭ କରୁଥିଲେ। ଉଭୟ ଶିକ୍ଷା ଓ ଦୀକ୍ଷା ପ୍ରଦାନ କରିବା ଥିଲା ଗୁରୁଙ୍କର କର୍ତ୍ତବ୍ୟ। ଶିକ୍ଷାଲାଭ ପରେ ଶିକ୍ଷାର୍ଥୀମାନେ ଗୃହକୁ ଫେରିଆସି ଗୁରୁଙ୍କ ପ୍ରଦତ୍ତ ଜ୍ଞାନକୁ ଆଧାରକରି ଜୀବନ ଅତିବାହିତ କରୁଥିଲେ। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକ ପ୍ରଦାନ ନିମିତ୍ତ ଗୁରୁ ସର୍ବଦା ପ୍ରଚେଷ୍ଟାରତ ଥାନ୍ତି। ସେଥିପାଇଁ ତ ସେ ଗୁରୁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନ ହଲ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁ ପୂଜନ ଉତ୍ସବ ଓ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଶିକ୍ଷକମାନଙ୍କ ଏକତାକୁ ପ୍ରଶଂସା କରିବା ସହିତ ସେମାନଙ୍କ ଦୁଃଖ ସୁଖରେ ସାଥୀରେ ଥିବା କଥା କହିଥିଲେ। ଗୁରୁମାନଙ୍କ ଶିକ୍ଷା ଓ ଦୀକ୍ଷା ଦ୍ୱାରା ହିଁ ଦେଶର ଭବିଷ୍ୟତ ନିର୍ମାଣ ହେବା ସହିତ ଅଜ୍ଞାନର ଅନ୍ଧାରକୁ ଦୂର କରି ହେବ। ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ମହାନ୍ତି, ଜିଲ୍ଲାଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ ଲୋପାମୁଦ୍ରା ରଥ, ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ୨୫ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ପ୍ରଦୀପ କୁମାର ଶାସମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସରୋଜକାନ୍ତ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।


