ଅର୍‌ଫାନ୍ ସର୍ଭେ-୨୦୨୫" ଆରମ୍ଭ , "ଆମରି ଶିଶୁ" ପୋର୍ଟାଲ୍‌ରେ ରହିବ ଶିଶୁଙ୍କ ତଥ୍ୟ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବୁଗୁଡା :  ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ  "ଅର୍‌ଫାନ୍ ସର୍ଭେ-୨୦୨୫" କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଗୁଡା ବ୍ଳକ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନ ସାଙ୍ଗକୁ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି , ମମତା ଶବର,ସ୍ବର୍ଣ୍ଣମୟୀ ନାୟକ , ଲିଲି ଶବର , ଗିତାଞ୍ଜଳୀ ବଡମୁଣ୍ଡି ଓ ଜାନକୀ ଦେବୀ ପ୍ରମୁଖଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ପିତୃମାତୃହୀନ ଶିଶୁଙ୍କୁ ଚିହ୍ନଟ ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଶିଶୁର ତଥ୍ୟ "ଆମରି ଶିଶୁ" ପୋର୍ଟାଲ୍‌ରେ ଦାଖଲ କରାଯିବା କାର୍ଯ୍ୟକ୍ରମ ରହିଛି । ବୁଗୁଡା ବ୍ଳକ ପରିସରଭୁକ୍ତ ୨୧ଟି ପଞ୍ଚାୟତର ୯ଟି ସେକ୍ଟର ଅନ୍ତର୍ଗତ ୨୧୩ଟି ଅଙ୍ଗନଓ୍ବାଡି କେନ୍ଦ୍ର ସହିତ ଏନ୍‌ଏସି ସେକ୍ଟର ଅଧୀନସ୍ଥ ୧୩ଟି ୱାର୍ଡରେ ଥିବା ୧୮ଟି ଅଙ୍ଗନବାଡି କେନ୍ଦ୍ରରେ ଏହି "ଅର୍‌ଫାନ୍ ସର୍ଭେ-୨୦୨୫" କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଜଣାଯାଇଛି । ସର୍ଭେ କାର୍ଯ୍ୟକ୍ରମରେ ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁ , ପିତା କିମ୍ବା ମାତାଙ୍କୁ ହରାଇଥିବା ଶିଶୁ , ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ କିମ୍ବା ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତ କାରଣରୁ ରୋଜଗାରହୀନ ପିତାଙ୍କ ସହିତ ରହୁଥିବା ଶିଶୁମାନଙ୍କୁ ଚିହ୍ନଟ କରାଯିବା ଲକ୍ଷ୍ୟ ରହିଛି । ୨୦୨୫ ମସିହା ଜୁନ୍ ମାସ ୧ ତାରିଖ ସୁଦ୍ଧା ଜନ୍ମଗ୍ରହଣ କରିଥିବା ଶିଶୁଙ୍କ ଠାରୁ ୧୮ ବର୍ଷ ବୟସ ଯାଏଁ ଶିଶୁ ଓ ନାବାଳକମାନଙ୍କୁ ଏହି "ଅର୍‌ଫାନ୍‌ ସର୍ଭେ-୨୦୨୫" ଅଭିଯାନରେ ଚିହ୍ନଟ କରାଯିବ । ପରବର୍ତ୍ତୀ ସମୟରେ ଚିହ୍ନଟ ଶିଶୁମାନଙ୍କୁ ଆବଶ୍ୟକତା ଅନୁଯାୟୀ ସଯତ୍ନ ସୁରକ୍ଷା ତଥା ଥଇଥାନ ଯୋଜନା ପ୍ରସ୍ତୁତିରେ ସହାୟକ ହେବ ବୋଲି କୁହାଯାଉଛି ।

Post a Comment

Previous Post Next Post