ସ୍ୱାୟତ୍ତ ଶାସନ ପାଳନ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥରେ - ପୀତବାସ ପଣ୍ଡା

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଦୁର୍ନୀତିରେ ଉବୁଡୁବୁ ହେଉଥିବା ମହାନଗର ନିଗମ ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି । ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ଘର ପାନୁ ଓ ୟୁଜର୍ସ ଫି ନାମରେ ଲୋକଙ୍କ ଠାରୁ ଜୋର୍ ଜବରଦସ୍ତି ଟିକସ ଆଦାୟ କରାଯାଉଛି । ପାର୍କକୁ ଗଲେ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ୁଛି । ଟ୍ରେଡ ଲାଇସେନ୍ସ, ବିବାହ ପଞ୍ଜୀକରଣ ଓ ଉଠା ଦୋକାନୀ ମାନଙ୍କଠାରୁ ଅହେତୁକ ଭାବରେ ଟଙ୍କା ଆଦାୟ କରାଯାଉଛି । ମ୍ୟୁନିସପାଲିଟି ଦୋକାନ ଗୃହ ଭଡ଼ା ପ୍ରତିବର୍ଷ କତ୍ତୃପକ୍ଷ ବୃଦ୍ଧି କରୁଛନ୍ତି, କିନ୍ତୁ ସହରରେ ରାସ୍ତା , ଡ୍ରେନ୍ ଓ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ବିପର୍ଜସ୍ଥ। ଏହିପରି ସ୍ଥଳେ ମହାନଗର ନିଗମ ସ୍ୱାୟତ୍ତ ଶାସନ ପାଳନ ନାଁରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ କରିଦେଉଛି ।

       ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ବିଜେପି ନେତା ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ମହାନଗର ନିଗମ ଦ୍ଵାରା ପ୍ରତି ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ପାଳନ କରାଯାଉଥିବା ସ୍ୱାୟତ୍ତ ଶାସନ ଦିବସରେ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସୂଚନା ଅଧିକାର ଆଇନ ବଳରେ ଗତ ପାଞ୍ଚ ବର୍ଷର ତଥ୍ୟ ମାଗିଥିଲେ ମଧ୍ୟ ମହାନଗର ନିଗମ ତିନି ବର୍ଷର ଖର୍ଚ୍ଚର ହିସାବ ଦେବାରେ ସକ୍ଷମ ହୋଇଛି । ୨୦୨୨ ମସିହାରେ ଉତ୍ସବ ପାଳନ ନାଁ ରେ ମହାନଗର ନିଗମ ଖର୍ଚ୍ଚ କରିଛି ୪୪ ଲକ୍ଷ ୭୩ ହଜାର ୮୯୧ ଟଙ୍କା। ଠିକ୍ ସେମିତି ୨୦୨୩ ମସିହାରେ ଖର୍ଚ୍ଚ କରାଯାଇଛି ୫୮ ଲକ୍ଷ ୯୩ ହଜାର ୨୭୯ ଟଙ୍କା ଓ ୨୦୨୪ ମସିହାରେ ଖର୍ଚ୍ଚ କରାଯାଇଛି ୪୬ ଲକ୍ଷ ୨୪ ଶହ ୩୮ ଟଙ୍କା। ଅର୍ଥାତ୍ ଗତ ତିନି ବର୍ଷରେ କେବଳ ସ୍ୱାୟତ୍ତ ଶାସନ ଦିବସ ପାଳନ ନାଁ ରେ ଲୋକଙ୍କ ଟିକସ ଅର୍ଥରୁ ମହାନଗର ନିଗମ ଖର୍ଚ୍ଚ କରିଛି ୧କୋଟି ୪୯ ଲକ୍ଷ ୬୯ ହଜାର ୬୧୪ ଟଙ୍କା ।

       ଦୁର୍ଭାଗ୍ୟର ବିଷୟ ୨୦୨୨ ମସିହାରେ କେବଳ ନିମନ୍ତ୍ରଣ ପତ୍ରଟୀଏ ଛାପିବା ନାଁ ରେ ମହାନଗର ନିଗମ ଖର୍ଚ୍ଚ କରିଛି ୯୬ ହଜାର ୬ ଶହ ଟଙ୍କା  ଏବଂ ସେହି ବର୍ଷ ଭୋଜିଭାତ ନାଁ ରେ ପ୍ରାୟ ଏଗାର ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ମହାନଗର ନିଗମ ,ସାଜସଜ୍ଜା ଓ ମଞ୍ଚ ପରିଚାଳନା ନାଁ ରେ ପ୍ରାୟ ୨୫ ଲକ୍ଷ ଲକ୍ଷ ଖର୍ଚ୍ଚ କରିଛି ମହାନଗର ନିଗମ। ୨୦୨୩ ମସିହାରେ ଖାଇବା ଓ ଜଳାଖିଆ ବାବଦରେ ପ୍ରାୟ ଦଶ ଲକ୍ଷ ଖର୍ଚ୍ଚ କରିଥିବାବେଳେ ,ପାନରମା ହୋଟେଲ ଓ ରିସର୍ଟକୁ ପୁଣି ପ୍ରାୟ ଦଶ ଲକ୍ଷ ଟଙ୍କା ଦେଇଛି ମହାନଗର ନିଗମ , ସେହି ବର୍ଷ ଉତ୍ସବକୁ ପାଳନ କରିବା ନାଁରେ ସାଜସଜ୍ଜା ପାଇଁ ପ୍ରାୟ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ମହାନଗର ନିଗମ। ଠିକ୍ ସେହିପରି ୨୦୨୪ ମସିହାରେ ଖାଇବା ବାବଦରେ ପ୍ରାୟ ସତର ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ମହାନଗର ନିଗମ। 

       ଏହି ବିପୁଳ ଧନ ରାଶି ଖର୍ଚ୍ଚ କରିବା ପଛରେ କାହାର ସ୍ୱାର୍ଥ କାମ କରୁଛି ବୋଲି ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି । ଏହା ସହ ଏହାର ଏକ ସ୍ବତନ୍ତ୍ର ଅଡିଟ କରାଯିବା ସହ ଦୁର୍ନୀତି ଓ ସର୍ବ ସାଧାରଣ ଅର୍ଥକୁ ଦୁରୁପଯୋଗ କରୁଥିବା ମହାନଗର ନିଗମକୁ ତୁରନ୍ତ ଭାଙ୍ଗିଦେବା ପାଇଁ ଶ୍ରୀ ପଣ୍ଡା ରାଜ୍ୟ ସରକାର ନିକଟରେ ଦାବୀ କରିଛନ୍ତି ।

Post a Comment

Previous Post Next Post