ଗରା ମାଠିଆ ରଖି କଲେ ରାସ୍ତା ଅବରୋଧ

 


                                                          ଆର,ଉଦୟଗିରି- ମୋ ନ୍ୟୁଜ  ଓଡିଶା  (ମନୋଜ କୁମାର ପାଢୀ)-:  ଗଜପତି ଜିଲା                          ଗୁମ୍ମା ବ୍ଲକ ସଦର ମହକୁମା ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ଦ୍ଵିତୀୟ ବିଶ୍ଵ ଯୁଦ୍ଧ ଫେରନ୍ତା ସୈନିକ ମାନଙ୍କ ଗାଆଁ କୃଷ୍ଣଚନ୍ଦ୍ରପୁର। ଗ୍ରାମରେ  ଏକ ଶହ କୋଡିଏ ପରିବାର ର ପ୍ରାୟ ଛଅଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ। ୧୯୪୮ ମସିହାରେ ଗୋଟିଏ ନଳକୂପ ଖୋଳା ଯାଇଥିଲା ଓ ଗତ କିଛି ବର୍ଷ ତଳେ ଦୁଇଟି ସୋଲାର ପମ୍ପ ସଂଯୋଗ କରିଥିଲେ ମଧ୍ୟ ସେଥିରୁ ପର୍ଯ୍ୟାପ୍ତ ପାଣି ବାହାରୁନି। ଖରାଦିନ ଆସିଲେ ପାଣିର ସମସ୍ୟା କଥା ନକହିବା ଭଲ କାରଣ ଗୋଟିଏ ହାଣ୍ଡି ପାଣି ଆଣିବା ପାଇଁ ତିନି କି.ମି ଯିବାକୁ ପଡୁଛି। ଯିଏ ପାରୁଛି ସିଏ ଆଣୁଛି। ଏହି ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରିଥିଲେ ଓ ପୂର୍ବରେ ଅନେକ ଥର ମିଡ଼ିଆ ରେ ଏବଂ ଖବର କାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ ଅଣଦେଖା କରାଯାଇଛି। ବାରମ୍ବାର ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ପାଖକୁ ଯାଇ ପାନୀୟ ଜଳ ସମସ୍ୟା ସମାଧାନ ନ ହେବାରୁ ବାଧ୍ୟ ହୋଇ ରାସ୍ତା ରୋକ କରିଥିଲେ ଗ୍ରାମବାସୀ। ଖବର ପାଇ ସେରଙ୍ଗ ଥାନା ଆଇଆଇସି ନଳିନୀ କହଁର ଓ କନିଷ୍ଠ ଯନ୍ତ୍ରୀ ହୃଷୀକେଶ ମାରାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ  ପାନୀୟ ଜଳର ଉତ୍ସ ବୁଲି ଦେଖିଥିଲେ। ଉକ୍ତ ସମୟରେ କିଛି ନଳକୂପ ଗୁଡିକରୁ ପାଣି ବାହାରୁ ନ ଥିବା ବେଳେ, କିଛି ନଳକୂପ ରୁ ଦୂଷିତ ପାଣି ବାହାରୁଥିଲା , ଝରଣା ରୁ ଆସୁଥିବା ପାଣି ଗାଆଁରେ ପହଂଚି ପାରୁ ନଥିବା, ସୌର ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣ ରେ ମିଳୁନଥିବା ତଥା ପାଣି ଟାଙ୍କି ଫାଟି ଥିବା ଲକ୍ଷ କରାଯାଇଥିଲା। ସେରଙ୍ଗ ଥାନା ଆଇଆଇସି ନଳିନୀ କହଁର ଓ କନିଷ୍ଠ ଯନ୍ତ୍ରୀ ହୃଷୀକେଶ ମାରାଣ୍ଡି ଘଟଣା ଗୁଡ଼ିକ ଦେଖି ପାନୀୟ ଜଳ ସମସ୍ୟା ରହିଥିବା ହୃଦୟଙ୍ଗମ କରି ଛୋଟ ଛୋଟ ସମସ୍ୟା ଦିନେ ଦୁଇଦିନ ମଧ୍ୟରେ ଏଵଂ ବଡ଼ ସମସ୍ୟା ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ଗ୍ରାମବାସୀ ମାନେ ଯଥା ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିବା ସହ ପ୍ରଶାସନ ଯଦି ଉଚିତ ପଦକ୍ଷେପ ନନେଲେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ ।

Post a Comment

Previous Post Next Post