ଆର,ଉଦୟଗିରି- ମୋ ନ୍ୟୁଜ ଓଡ଼ଶା ,୧୭/୩(ମନୋଜ ପାଢୀ): ଦୀର୍ଘ ଦେଢ଼ମାସ ପରେ ରେଖନା ସାହି ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ। ଚୋରି କରିଥିବା ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୩.୫୪ଗ୍ରାମ ସୁନା ଓ ୪୮ହଜାର ଟଙ୍କା ଜବତ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଡୋଶୀ ଜି.ଗୀତା, ଚୋରି ସୁନାକୁ କିଣିଥିବା ପାରଳାଖେମୁଣ୍ଡିର ବି.ଋଷି ଆଚାରୀ, ଏବଂ ଭିସ୍ତଳାର ଏମ.ଚାନ୍ଦୁ। ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିବା ନେଇ ଗୋବରା ହେମା ଗତ ଜାନୁଆରୀ ୨୪ରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି କାଣ୍ଡ ତାଙ୍କ ପଡ଼ୋଶୀ ଜି.ଗୀତା ଭିଆଇଥିବା ପୋଲିସ ଜାଣିବା ପରେ ତାକୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ଗୀତା ସବୁ କଥା ମାନିବା ସହ ଚୋରି ସୁନାକୁ ସେ ପାରଳାଖେମୁଣ୍ଡିର ବି.ଋଷି ଆଚାରୀ, ଏବଂ ଭିସ୍ତଳାର ଏମ.ଚାନ୍ଦ ନାମକ ଦୁଇ ଜଣ ବଣିଆଙ୍କ ନିକଟରେ ବିକ୍ରି କରିଥିବା କହିଥିଲେ। ଏହି ଆଧାରରେ ପୋଲିସ ସଂପୃକ୍ତ ବଣିଆଙ୍କ ଘର ଏବଂ ଦୋକାନରେ ଚଢ଼ାଉ କରି ୪୩.୫୪ ଗ୍ରାମ ସୁନା ଅଳଙ୍କାର ଓ ୪୮ହଜାର ଟଙ୍କା ନଗଦ ଜବତ କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।