ମାର୍ଚ୍ଚ ମାସରେ ବିଚିତ୍ର ସ୍ଥିତି, ରାତିରେ କାକର, ଦିନରେ ତାତି


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଏଇ କିଛି ଦିନ ହେଲା ପାଣିପାଗର ଅସ୍ବଭାବିକ ସ୍ଥିତି ଯୋଗୁଁ ବୁଗୁଡା ଅଞ୍ଚଳରେ ଦିନରେ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ରାତିରେ କାକର ସାଙ୍ଗକୁ ପାହାନ୍ତିଆରେ ଥଣ୍ଡା ଅନୁଭୂତ ହେଉଛି। ଗତ ଫେବୃୟାରୀ ମାସ ମଝିରେ କିଛିଦିନ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇ ପରେ ପରେ ସେଥିରେ ହ୍ରାସ ଘଟିଥିଲା। ତେବେ ଗତ କିଛି ଦିନ ହେବ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଙ୍ଗକୁ ଅନିୟମିତତା ହେତୁ ବିଳମ୍ବିତ ରାତି ଓ ଭୋରରୁ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ପୂର୍ବାହ୍ନରେ ଖରା ବଢୁଛି। ପାହାନ୍ତିଆରେ ବାହାରକୁ ବାହାରିଲେ ଦେହ ଥରୁଛି।ଆଉ କେଉଁ କେଉଁ ଦିନ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ମଧ୍ୟାହ୍ନରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ହେହ ପୋଡିଯିବା ଭଳି ଲାଗୁଛି। ଫଗୁଣରେ ତାପମାତ୍ରାର ଏଭଳି ବିଚିତ୍ର ସ୍ଥିତି ଲୋକଙ୍କୁ ଚକିତ କରୁଛି। ବୁଗୁଡ଼ା ବନାଞ୍ଚଳରେ ନିରବଚ୍ଛିନ୍ନ ବୃକ୍ଷ ଛେଦନ ସାଙ୍ଗକୁ ରାଜ୍ୟ ରାଜପଥ-୩୩ର ସମ୍ପ୍ରସାରଣ ପାଇଁ ବାଲିପଦରଠାରୁ କରସିଙ୍ଗି ପର୍ଯ୍ୟନ୍ତ ରାସ୍ତାକଡରେ ଥିବା ଶହ ଶହ ଗଛ ବଳି ପଡିବା ସମ୍ପ୍ରତି ଅସ୍ବଭାବିକ ଉତ୍ତାପ ବୃଦ୍ଧିର ଅନ୍ଯତମ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଇ କିଛି ଦିନ ହେଲା ବୁଗୁଡା ସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ବି ଛତା ଓ ଟୋପି ବ୍ଯବହାର କରିବା ଆରମ୍ଭ କରିଦେଲେଣି। ଖରା ତାତିରୁ ରକ୍ଷା ପାଇବା ପାଇଁ ମୁହଁ ଓ ଦେହକୁ ଢାଙ୍କି ରଖିବା ସହ କଳା ଚଷମା ବ୍ଯବହାର କରୁଥିବା ଦେଖିବାକୁ ମିଳିଛି। ଅସହ୍ୟ ତାତି ଯୋଗୁଁ ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟ ସାମାନ୍ୟ ଫାଙ୍କା ରହୁଛି । ତେବେ ରାତିରେ କାକର ଏବଂ ଦିନରେ ତାତି ଭଳି ବିଚିତ୍ର ସ୍ଥିତି ଫଗୁଣ ମାସରେ ଆଗରୁ କେବେ ଦେଖିନଥିଲେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ମତ ପ୍ରକାଶ ପାଇଥିବା ବେଳେ ଅସ୍ବଭାବିକ ଉତ୍ତାପ ବୃଦ୍ଧିକୁ ନେଇ ଯଦି ଏବେଠୁ ଏତେ ତେବେ ଆଗକୁ କେତେ ହେବ ସେନେଇ ସାଧାରଣରେ ମଧ୍ୟ ଚିନ୍ତା ପ୍ରକଟ ହୋଇଛି।

Post a Comment

Previous Post Next Post