(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ -- Monewsodisha)
ବ୍ରହ୍ମପୁର : ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଞ୍ଚ ବର୍ଷ କାର୍ଯ୍ୟ କାଳରେ ବିଧାୟକ ହାତ ପାଣ୍ଠି (ଏମଏଲଏ ଲ୍ୟାଡ ଫଣ୍ଡ) ବିନିଯୋଗ କ୍ଷେତ୍ରରେ ବ୍ୟାପକ ଅନିୟମିତ ହୋଇଥିବା ଦୃଷ୍ଟିକୁ ଆସିଛି। ବିଶେଷ ଭବରେ 2021 ଠାରୁ 2024 ମଧ୍ୟରେ ମଞ୍ଜୁର ହୋଇଥିବା ପାଣ୍ଠିକୁ ବହୁ କ୍ଷେତ୍ରରେ ଅସଦ୍ ବିନିଯୋଗ ହୋଇଥିବା ଆରଟିଆଇ ତଥ୍ୟରୁ ସୂଚନା ମିଳିଛି। ଗୋଟିଏ ପ୍ରକଳ୍ପ ବାବଦରେ ଏକାଧିକ ଥର ପାଣ୍ଠି ଦିଆଯାଇଛି। ନିର୍ଦ୍ଧିଷ୍ଟ କେତେକ ୱାର୍ଡରେ ବିଧାୟକ ପାଣ୍ଠି ଦେଇଥିବା ବେଳେ ଅଧିକାଂଶ ୱାର୍ଡ ଆଞ୍ଚଳିକ ବିକାଶରୁ ବଞ୍ଚିତ ହୋଇଛନ୍ତି। ପ୍ରକଳ୍ପ ଗୋଟିଏ କିନ୍ତୁ ନାମ ବଦଳାଇ ଥରକୁ ଥର ପାଣ୍ଠି ବିନିଯୋଗ ହୋଇଛି। ଗେଟ ବଜାର ନିକଟ ସ୍ପୋର୍ଟସ୍ ଏରିନା ବାବଦରେ 5 ଥର ପାଣ୍ଠି ଦିଆଯାଇଛି। 2021_2022 ରେ 4 କିସ୍ତିରେ ଲକ୍ଷେ 45 ହଜାର, ଦୁଇ ଲକ୍ଷ 4 ହଜାର, ଦୁଇ ଲକ୍ଷ 42 ହଜାର ଓ 3 ଲକ୍ଷ 97 ହଜାର ଟଙ୍କା ଦିଆଯାଇଛି। ଏହି ଟଙ୍କା ଶିନ୍ଥେଟିକ ସ୍ପୋର୍ଟସ୍ ପ୍ରାଇଭେଟ ଲିମିଟେଡ କୁ ଦିଆଯାଇଛି। ପୁଣି ଜିମ ଉପକରଣ ଖଞ୍ଜିବାକୁ 84 ହଜାର ଟଙ୍କା ମଞ୍ଜୁର ହୋଇଛି। ଗୋଟିଏ ସଂସ୍ଥାକୁ ଅନୁଗ୍ରହ ପଛରେ କାରଣ କଣ ହୋଇପାରେ ତାହା ସନ୍ଦେହ ଉପୁଜିବା ସ୍ୱାଭାବିକ। ଲାଇଫ୍ ସାପୋର୍ଟ ଆମ୍ବୁଲାନ୍ସ କିଣିବାକୁ ଫୋର୍ସ ମୋଟର୍ସ ଲିମିଟେଡକୁ 24.2.2022ରେ 20 ଲକ୍ଷ 65 ହଜାର ଟଙ୍କା ଦିଆଯାଇଥିଲା। ପୁଣି ସେହିଦିନ ମେଡିକାଲ ଉପକରଣ ଲଗାଇବାକୁ ନ୍ୟୁ ଓଡ଼ିଶା ହୋମିଓ ହଲକୁ 14 ଲକ୍ଷ 6 ହଜାର ପୈଠ ହୋଇଛି। ହୋମିଓ ହଲକୁ ଲକ୍ଷ ଲକ୍ଷ ଟଙ୍କା ଦେବା ଘଟଣାରେ ଦୁର୍ନୀତି ଗନ୍ଧ ବାରି ହେଉଛି। ସେହିପରି ଦୁଇଟି ମହାପ୍ରୟାଣ ରଥ କିଣା ବାବଦରେ ଉତ୍କଳ ଅଟୋମୋବାଇଲ ପ୍ରାଇଭେଟ ଲିମିଟେଡକୁ ଅର୍ଡର ସଂଖ୍ୟା 3043, ତାରିଖ 24.02.22ରେ 23 ଲକ୍ଷ 54 ହଜାର 703 ଟଙ୍କା ଦିଆଯାଇଥିବା ବେଳେ ପୁଣି ଦୁଇଟି ଡେଡ୍ ବଡି ଭ୍ୟାନ କିଣା ବାବଦରେ ଅର୍ଡର ସଂଖ୍ୟା 5713, ତାରିଖ 21.05.22ରେ କୋନସଟୋରିୟମ ଅଟୋମୋବାଇଲକୁ 27 ଲକ୍ଷ 73 ହଜାର ଟଙ୍କା ଦିଆଯାଇଛି। 2023_24 ରେ ବିନାୟକ ଆଚାର୍ଯ୍ୟ କଲେଜ ପୁରୁଷ ଓ ମହିଳା ଶୌଚାଳୟ ନିର୍ମାଣ ବାବଦରେ 4 ଥର ପାଣ୍ଠି ମଞ୍ଜୁର ହୋଇଛି। ମହିଳା ଶୌଚାଳୟ ବାବଦରେ 4 ଲକ୍ଷ 39 ହଜାର ଟଙ୍କା ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହେବା ପରେ ପୁଣି ଆଉ ଦୁଇ କିସ୍ତିରେ 4 ଲକ୍ଷ 29 ହଜାର ଓ 2 ଲକ୍ଷ 47 ହଜାର ଟଙ୍କା ବିନିଯୋଗ ହୋଇଛି। ପରେ ପୁରୁଷ ଶୌଚାଳୟ ପାଇଁ 2 ଲକ୍ଷ 30 ହଜାର ବରାଦ ହୋଇଛି। ସେହିପରି ଚନ୍ଦ୍ର ଶେଖର ମନ୍ଦିର ଓ ରାମ ମନ୍ଦିର ନବୀକରଣ ନାଁରେ ଥରକୁ ଥର ପାଣ୍ଠି ମଞ୍ଜୁର ଘଟଣା ବିଧାୟକ ପାଣ୍ଠିର ସଦୁପୋଯୋଗ ନେଇ ପ୍ରଶ୍ନ ଉଠିଛି। 2021_2024 ମସିହା ମଧ୍ୟରେ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ବିନିଯୋଗର ତଦନ୍ତ କରିବାକୁ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ଦାବି କରିଛନ୍ତି ।