ମାଲକାନଗିରି ତା:- ୦୮/୦୨ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ନିଖୋଜ ଥିବା ସପ୍ତମ ଶ୍ରେଣୀର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଦୁଇ ଜଣ ହେଲେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମର ତିମିର ହାଲଦାରଙ୍କ କନ୍ୟା ଜ୍ୟୋତି ହାଲଦାର (୧୨) ଓ ଏମଭି ୧୨୬ ଗ୍ରାମର ୱାଗା ସୋଡିଙ୍କ କନ୍ୟା ମନ୍ଦିରା ସୋଡି (୧୩ ) ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା କି ହତ୍ୟା ସନ୍ଦେହ ଘେର ରେ ରହିଛି। ଜ୍ୟୋତି ହାଲଦାର ଓ ମନ୍ଦିରା ସୋଡି ଗୁରୁବାର ବିଦ୍ୟାଳୟକୁ ଆସି ଆଉ ଘରକୁ ଫେରି ନଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ଏମଭି ୭୯ ଥାନାରେ ଦୁଇ ଛାତ୍ରୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ସକାଳେ ବିଦ୍ୟାଳୟ ଠାରୁ ପ୍ରାୟ ୩ କିଲୋମିଟର ଦୂର ବିଲିଗୁଡା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛରେ ଦୁଇଜଣ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଥିବାର ଗ୍ରାମର କିଛି ମହିଳା ଦେଖିଥିଲେ। ପରେ ଖବର ପ୍ରଚାର ହେବା ପରେ ମାଲକାନଗିରି ଏସ୍ଡ଼ିପିଓ ସଚିନ ପାଟିଲ ଙ୍କ ସହ ଏମଭି ୭୯ ଥାନା ଅଧିକାରୀ ଏବଂ ପୁଲିସ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ଠାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
Tags:
ଆଞ୍ଚଳିକ