(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ରାଜ୍ୟର ଡ଼ବଲ ଇଞ୍ଜିନ୍ ସରକାର ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛନ୍ତି, ଜିଲ୍ଲାର ଚାଷୀ ସଂଗଠନ ଓ ବୁଦ୍ଧିଜୀବିମାନେ ତା’ର ଦୃଢ଼ ବିରୋଧ କରିଛନ୍ତି। ଆଜି ସ୍ଥାନୀୟ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏକ ଗଣଧାରଣାରେ ଯୋଗଦେଇ ଜିଲ୍ଲାର ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର ଓ ଦିଗପହଣ୍ଡି ବ୍ଳକ୍ର ଚାଷୀନେତାମାନେ ଓ ବ୍ରହ୍ମପୁର ସହରର ବୁଦ୍ଧିଜୀବିମାନେ ପ୍ରସ୍ତାବିତ ଡ଼େମ୍କୁ ବାତିଲ କରିବାକୁ ଦାବି କରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କମିଟିର ଆବାହକ ସୁଧୀର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଗଣଧାରଣାରେ ବକ୍ତାମାନେ ବର୍ତମାନ ଜିଲ୍ଲାବାସୀ ଜଳସେଚନ ଓ ପିଇବା ପାଣି ପାଇଁ ଋଷିକୂଲ୍ୟା ନଦୀ ଉପରେ ନିର୍ଭର କରୁଥିବା ବେଳେ ସରକାର ପିପଳପଙ୍କାରେ ଡେମ୍ ନିର୍ମାଣ କରି ଋଷିକୂଲ୍ୟା ନଦୀର ପାଣିକୁ ଉପର ମୁଣ୍ଡରୁ ହିଁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ ଯୋଗେନେଇ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ଥିବା କମ୍ପାନୀଙ୍କୁ ଯୋଗାଇ ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତା’ର ନିନ୍ଦା କରିଥିଲେ।ଜଳବାୟୁ ପରିବର୍ତ୍ତନ ଫଳରେ ବର୍ଷା ହ୍ରାସ ପାଇବା ତଥା ଋଷିକୂଲ୍ୟାରେ ଆସି ପଡ଼ିଥିବା ଘୋଡାହାଡ, ବଡନଦୀ, ବାଘୁଆ ଆଦି ଉପନଦୀମାନଙ୍କ ଉପର ମୁଣ୍ଡରେ ଡେମ୍ ନିର୍ମାଣ ଫଳରେ ଏବଂ ସର୍ବୋପରି ନଦୀ ଶଯ୍ୟାରୁ ଅବାଧ ବାଲି ଚାଲାଣ ଫଳରେ ଋଷିକୂଲ୍ୟା ନଦୀ ବର୍ଷା ଦୁଇ ମାସକୁ ଛାଡ଼ିଦେଲେ ବର୍ଷର ବାକି ସମୟ କେବଳ ଏକ ଶୁଖିଲା ଧାରରେ ପରିଣତ ହୋଇଯାଉଛି। ସରକାର ବର୍ତ୍ତମାନ ଋଷିକୂଲ୍ୟାରେ ପାଣି ନାହିଁ ବୋଲି କହି ମହାନଦୀର ଜଳକୁ ଆଣି ଋଷିକୂଲ୍ୟାରେ ପକାଇବାକୁ ମହାନଦୀ ଓ ଋଷିକୂଲ୍ୟା ନଦୀ ସଂଯୋଗୀ କରଣ ପାଇଁ କହୁଛନ୍ତି l ଅଥଚ ଋଷିକୂଲ୍ୟାର ହିଁ ଉପର ମୁଣ୍ଡରେ ଡେମ୍ ନିର୍ମାଣ କରି ତା’ର ପାଣିକୁ କମ୍ପାନୀ ମାନଙ୍କୁ ଦେଇଦେବାକୁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ସେଥିରୁ କ୍ଷାନ୍ତ ରହିବାକୁ ଚେତାବନୀ ଦିଆଯାଇଥିଲା।
ପିପଳପଙ୍କାରେ ଡ଼େମ୍ ନିର୍ମାଣ ଫଳରେ ସେ ଅଞ୍ଚଳର ଦୁଇ ହଜାର
ହେକ୍ଟରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଘଞ୍ଚ ଜଙ୍ଗଲ ଓ ତା’ରି ମଧ୍ୟରେ ଥିବା ୨୩ଟି ଗାଁର ଚାଷଜମି ତଥା ଘରବାଡ଼ି ଜଳମଗ୍ନ ହେବ। ଏହା ସହ ନଦୀ ଜଳଶୂନ୍ୟ ହୋଇ ତା'ର ଉଭୟ ପାର୍ଶ୍ୱରେ ଥିବା ଶତାଧିକ ଗ୍ରାମର କୃଷି, ପଶୁପାଳନ ଓ ପିଇବା ପାଣିର ବ୍ୟବସ୍ଥା କ୍ଷତିଗ୍ରସ୍ଥ ହେବ। ଏହା ବ୍ୟତୀତ ଉପର ମୁଣ୍ଡରେ ଡେମ୍ ନିର୍ମାଣ ଫଳରେ ଋଷିକୂଲ୍ୟାର ତଳମୁଣ୍ଡରେ ଥିବା ଜାନିବିଲି ବ୍ୟାରେଜକୁ ପାଣିର ପ୍ରବାହ ହ୍ରାସ ପାଇ ତା' ଉପରେ ନିର୍ଭରଶୀଳ ଜିଲ୍ଲାର ଋଷିକୂଲ୍ୟା ଜଳସେଚନ ବ୍ୟବସ୍ଥା ଓ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହେବ।
ସରକାର ପିପଳପଙ୍କା ଡ଼େମ୍ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ଜିଲ୍ଲାର ଚାଷୀ, ଆଦିବାସୀ, ମତ୍ସ୍ୟଜୀବି ଓ ବ୍ରହ୍ମପୁର ସହରବାସୀଙ୍କ ମତାମତ ନନେଇ ତଥା ଏହି ପ୍ରକଳ୍ପ ଫଳରେ ହେବାକୁ ଥବା ଅର୍ଥନୈତିକ ଓ ପରିବେଶଗତ କ୍ଷୟକ୍ଷତିର କୌଣସି ବିଜ୍ଞାନ ସମ୍ମତ ଆକଳନ ନକରି ଯେଉଁଭଳି ଏକପାଖିଆ ଭାବେ ଡ଼େମ୍ କରିବାକୁ ଯାଉଛନ୍ତି, ତାହା ଅଗଣତାନ୍ତ୍ରିକ ଓ ଜନବିରୋଧି ବୋଲି ବକ୍ତମାନେ କହିଥିଲେ। ସରକାର ରାଜ୍ୟକୁ ବଡ଼ ବଡ଼ କମ୍ପାନୀଙ୍କୁ ଡ଼ାକି ପୁଞ୍ଜିନିବେଶ ପାଇଁ ଆଲୋଚନା କରୁଥିବା ବେଳେ ପିପଳପଙ୍କା ଡ଼େମ୍ ସଂକ୍ରାନ୍ତରେ ଆଗରୁ ଅନେକ ଦାବୀପତ୍ର ଓ ଚିଠି ଦେବା ସତ୍ତ୍ୱେ ପ୍ରଭାବିତ ପକ୍ଷଙ୍କ ସହ କୌଣସି ପ୍ରକାରର ଆଲୋଚନା କରିବାକୁ ସମୟ ନଦେବା ପରିତାପର ବିଷୟ ବୋଲି କହିଥିଲେ।
ଧାରଣାରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଏଆଇକେଏମ୍ଏସ୍ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ମାନବବାଦୀ ହେତୁବାଦୀ ସଙ୍ଗଠନର ସମ୍ପାଦକ କେ ନନ୍ଦେଶୁ ସେନାପତି, ସୋରଡ଼ା ବ୍ଳକର ଦଳିତ ନେତା ସଞ୍ଜୟ କୁମାର ନାୟକ, କେ ଶ୍ରୀନିବାସ ରାଓ ଏବଂ ଡ଼େମ୍ ଫଳରେ ବିସ୍ଥାପିତ ହେବାକୁ ଥିବା ପିପଳପଙ୍କା ଅଞ୍ଚଳର ଲକ୍ଷ୍ମୀ ମଳିକ, ରାଜୁ ମଳିକ, ଜନନୀ ମଳିକ, ଚିତ୍ରସେନ ମଳିକ, ମହୁରା ମଳିକ, ଲୋକନାଥ ମଳିକଙ୍କ ସମେତ ୨୩ଟି ଗ୍ରାମର ପ୍ରମୁଖ ଲୋକମାନେ ଯୋଗଦେଇ ଡ଼େମ୍ ନିର୍ମାଣକୁ ବିରୋଧ କରିଥିଲେ। ଏହି ପରିପେକ୍ଷୀରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ତଥା ଜିଲ୍ଲାର କୃଷି, କୃଷକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପିପଳପଙ୍କାରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା ଦାବିରେ ଆଗାମୀ ଦିନରେ ପିପଳପଙ୍କାଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଥିଲା।