ଭଞ୍ଜନଗର :ମୋ ନିୟୁଜ ଓଡିଶା ଘୁମୁସର ମାଟିର ମହାନ ସ୍ୱାଧିନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ବଳିଦାନ ଆମ ଦେଶ ସ୍ୱାଧୀନତା ଆନ୍ଦୋଳନର ଏକ ଗୌରବମୟ ଅଧ୍ୟାୟ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ। କାରଣ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୁମୁସର ଅଞ୍ଚଳରେ ୧୮୦୦-୧୮୩୬ ଖ୍ରୀଷ୍ଟାବ୍ଦ ଯାଏଁ ଇଂରେଜ ବିରୁଦ୍ଧରେ ଆରମ୍ଭ ହୋଇଥିଲା। ସେହି ସ୍ୱାଧୀନତା ସଂଗ୍ରାମରେ ବହୁ ସଂଖ୍ୟକ ଖ୍ୟାତନାମା ବୀର ଯୋଗଦେଇଥିଲେ। ସେଥିମଧ୍ୟରୁ ଚକରା ବିଷୋୟୀ ହେଉଛନ୍ତି ଅନ୍ୟତମ। ଚକରାଙ୍କ ଅଦମ୍ୟ ସାହାସ, ବୀରତ୍ୱ ଓ ଦେଶ ପ୍ରେମ ପାଇଁ ଇଂରେଜ ସରକାରଙ୍କ ନିଦ ହଜାଇ ଦେଇଥିଲା। ଏହି ମହାନ ଦେଶ ସଂଗ୍ରାମୀଙ୍କ ୨୦୨ ତମ ଜୟନ୍ତୀ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରେ ଥିବା ପ୍ରତିମୂର୍ତ୍ତିରେ ଭଞ୍ଜନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଜିଲ୍ଲା ସୂଚନା ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସନ୍ଧ୍ୟା ସମୟରେ ଭଞ୍ଜନଗର ଟାଉନ ହଲ ଠାରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥିଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ, ଚକରା ବିଷୋୟୀ କଲ୍ଚରାଲ ଏକାଡ଼େମୀର ସଭାପତି ଜଗବନ୍ଧୁ ଜେନା, ସମ୍ପାଦକ ନେତାଜୀ ବିଷୋୟୀ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟକ ଓ ଗବେଷକ ଡ. ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦେଇ ଚକରା ବିଷୋୟୀଙ୍କ ଗୁଣଗାନ କରିଥିଲେ। କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶକ ରବି ନାରାୟଣ ବେହେରା ସଂଯୋଜନା କରିଥିଲେ। ଓଁ ସଙ୍ଗୀତ ଏକାଡେମୀର ନିର୍ଦ୍ଦେଶକ ପ୍ରଦୀପ କୁମାର ସ୍ୱାଇଁ ଏବଂ ନାରାୟଣ ମହାରଣା ଦ୍ୱାର ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଘ ନାଚ ଅନୁଷ୍ଠିତ ହୋଇଥିଲା। ସେହିପରି ଭଞ୍ଜନଗର ନିକଟ ବାଉଁଶଲୁଣ୍ଡିସ୍ଥିତ ରାଧା କୃଷ୍ଣ ପାଠାଗାର, ସମ୍ବାଦ ସାହିତ୍ୟ ଘର, ମଳାସପଦର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳନ ହୋଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


