ମାଲକାନଗିରି ଗ୍ରସ୍ତରେ ଆସି ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ।

(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୨୦/୧୨

ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଏକ ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ଟିମ୍ ମାଲକାନଗିରି ଗସ୍ତ କରିବେ ବୋଲି ଦୁଇ ଦିନିଆ ଜିଲ୍ଲା ଗସ୍ତ ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ଅବସରରେ ସତୀଗୁଡ଼ା ଇକୋ ପାର୍କ ନିମନ୍ତେ ଇକୋ ରିଟ୍ରିଟ ପ୍ରକଳ୍ପ ପ୍ରସ୍ତାବ ପ୍ରେରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରମ୍ପରା ଓ ଲୋକବିଶ୍ୱାସ ହିଁ  ପର୍ଯ୍ୟଟନର ମୂଳ ଆଧାର। ତେଣୁ ଲୋକଙ୍କ ଆସ୍ଥା ସହ ଜଡିତ ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ହେଲେ ଲୋକବିଶ୍ୱାସ ତଥା ଲୋକକଥା ଉପରେ ପର୍ଯ୍ୟବେସିତ କରି ଡିପିଆର ପ୍ରସ୍ତୁତ କରିବାକୁ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମଲ୍ଲିକେଶ୍ୱର, ଗୁରୁପ୍ରିୟା ସେତୁ, ଗୁମାଝରନ, ଅଣ୍ଡରାହାଲ, ସପ୍ତଧାରା ନଦୀ ଶଯ୍ୟା, ଚିତ୍ରକୋଣ୍ଡା ଇକୋ ପାର୍କ, ଗାଙ୍ଗରାଜଗୁମ୍ମା ଓ ହନ୍ତାଳଗୁଡା ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି କାର୍ଯ୍ୟ ଚାଲୁ ରହିଛି ବୋଲି ଅଧିକାରୀ ମାନେ ବୈଠକରେ ଜଣାଇଛନ୍ତି। ସେହିପରି ସୁଭଦ୍ରା ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେବା ନିମନ୍ତେ ବିଡିଓଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମିତି ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ଏଥିରେ ଦୁଇ ଜଣ ମହିଳାଙ୍କୁ ଅର୍ନ୍ତଭୁକ୍ତ କରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ସମସ୍ତଙ୍କ ସହଭାଗିତା ରହି ପାରିବ ବୋଲି ସେ କହିଛନ୍ତି। ବଣ୍ଡାଘାଟି ଗସ୍ତ ଅବସରରେ ସେ କହିଛନ୍ତି ଯେ ଇ କେୱାଇସି ସମ୍ପୂର୍ଣ୍ଣ ହୋଇଗଲେ ବହୁତ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।  ସୁଭଦ୍ରା ଯୋଜନା ମାଧ୍ୟମରେ ଅନେକ ବଣ୍ଡା ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଜାଣିବାକୁ ପାଇଥିଲେ ଏବଂ ଏଥିରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅପପୁଷ୍ଟି ଦୂର ହେଲେ ପୋଷଣ ଅଭିଯାନ ସଫଳ ହେବ ବୋଲି ସମନ୍ଵିତ ଶିଶୁ ବିକାଶ ସଂସ୍ଥା କର୍ମଚାରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ। ତା ସହିତ ଛତୁଆର ମାନ, ମମତା ଯୋଜନା ଓ ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ। ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସୃଷ୍ଟି ସହ ତୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ଜନ ଭାଗିଦାରିତାକୁ   ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵାରୋପ କରିଛନ୍ତି। ଲକ୍ଷପତି ଦିଦି ନିମନ୍ତେ ଯେଉଁ ଟାର୍ଗେଟ ରଖାଯାଇଛି ତାକୁ ହାସଲ କରିବା ପାଇଁ କୁହାଯାଇଛି । ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସମାଜରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ବୋଲି ଉପ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରିଥିଲେ। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ମଞ୍ଚାସୀନ ଥିଲେ। ଜିଲ୍ଲା ପରିଷଦ, ଜିଲ୍ଲା ସମାଜ ମଙ୍ଗଳ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ,  ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।

Post a Comment

Previous Post Next Post