(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ରାଜ୍ୟରେ ଆଳୁ ସଙ୍କଟ ଘାନେଇବାରେ ଲାଗିଥିଲା ବେଳେ ରୋଚକ କଥା ହେଲା ରାଜ୍ୟରେ ମୋହନ ମନ୍ତ୍ରୀମଣ୍ଡଳରେ ଜଣେ ଯୋଗାଣ ମନ୍ତ୍ରୀ ଅଛନ୍ତ ଯିଏ କେବଳ ବାହାସ୍ପୋଠ ମାରି ବାଚାଳ ଭଳି ଗପିବା ଛଡା ଆଉ କିଛି କରନ୍ତି ନାହିଁ। ସେ ଏଭଳି ନଗପି ନିଜ କାର୍ଯ୍ୟରେ ଓ ବିଭାଗ ବିଷୟରେ ଚିନ୍ତା କରି ନୀରବରେ ଯଦି କିଛି କାର୍ଯ୍ୟାନୁଷ୍ଠନ ନିଅନ୍ତେ ତାହା ଅଧିକ ଗ୍ରହଣୀୟ ହୋଇଥାନ୍ତା। ଏହା ପୂର୍ବରୁ ମଧ୍ୟ ରାଜ୍ୟରେ କିଛି ଦିନ ତଳେ ଆଳୁ ସଙ୍କଟ ଉପୁଜିଥିଲା । କିନ୍ତୁ ମନ୍ତ୍ରୀ ମହୋଦୟ ସେତେବେଳେ ମଧ୍ୟ ତାହାକୁ ସାମ୍ନା କରି କୌଶଳକ୍ରମେ ମୁକାବିଲା କରିବା ବଦଳରେ ଏନେଇ ଖାଲି ବିବୃତି ଉପରେ ବିବୃତି ଛାଡ଼ିଲେ। ସିଏ ଯେତେ ଥର ବିବୃତି ଦେବାକୁ ଆସିଲେ ସେତେଥର ଆଳୁ ଦର କମିବା ପରିବର୍ତେ ବଢି ଚାଲିଥିଲା। ଟ୍ରେନରେ ଆଳୁ ଆସିବ ଓ ଆସିଗଲାଣି ଇତ୍ୟାଦି ଗାଲୁ ଗପ ଖାଲି ଲୋକଙ୍କୁ ଶୁଣେଇଲେ। ତାଙ୍କ କଥାକୁ ନା ତାଙ ବିଭାଗ ବୁଝି ପାରୁଥିଲା ନା ବ୍ୟବସାୟୀ ମହାଲ ଗୁରୁତ୍ଵ ଦେଇଥିଲେ। ମନ୍ତ୍ରୀଙ୍କ କଥା ଗୋଟେ ଆଡେ ଏବଂ ବଜାର ହାଲଚାଲ ତାରି ବାଟରେ। ତାଙ୍କର ବୈଚିତ୍ର ମୟ ଆଚରଣ ଓ କିମ୍ଭୂତକିମାକାର ଯୁକ୍ତି ଶୁଣିଲେ ଆମୋଦ ପ୍ରଦାନ କରୁଛି ସିନା ବାସ୍ତବରେ କ୍ଷେତ୍ର ସ୍ତରରେ ସ୍ଥିତି ସମ୍ପୂର୍ଣ ବିପରୀତ। ତାଙ୍କର ବକ୍ତବ୍ୟରୁ ଗୋଟିଏ କଥା ବାରି ହୋଇପଡ଼ିଛି ଯେ ଏକେତ ତାଙ୍କ ବିଭାଗ ଉପରେ ତାଙ୍କ ନିଜର ନିୟନ୍ତ୍ରଣ ନାହିଁ କିମ୍ବା ଗ୍ରାଉଣ୍ଡ ରିଆଲିଟି ଉପରେ ତାଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ। ଏଭଳି ସ୍ଥିତିରେ କିଛି ଦିନ ଅନ୍ତରରେ ପୁଣି ଆଳୁ ସଙ୍କଟ ଓ ଅଭାବ ଜନିତ ସମସ୍ୟା ରାଜ୍ୟରେ ମୁଣ୍ଡ ଟେକିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ଆଳୁ ରପ୍ତାନି ଉପରେ ପୁଣି କଟକଣା ଜାରି କରିଛନ୍ତି। ଫଳରେ ଆପାତକାଳିନ ସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଗଚ୍ଛିତ ଆଳୁ ସରି ସରି ଆସୁଛି। ଏହାର ଫାଇଦା ନେଇ ମୁନାଫାଖୋର ବ୍ୟବସାୟୀ ମାନେ ମନ ଇଚ୍ଛା ଦର ବୃଦ୍ଧି କରି ଚାଲିଛନ୍ତି। କହିବାକୁ ଗଲେ ପ୍ରାକୃତିକ ସଙ୍କଟ ଓ କୁତ୍ରିମ ସଙ୍କଟ ଉଭୟ ମିଶି ଆଳୁ ଗୃହିଣୀ ଓ ଗ୍ରାହକଙ୍କୁ ନାକେଦମ୍ କରିସାରିଲେଣି। ମନ୍ତ୍ରୀ ମହୋଦୟଙ୍କ ନିବେଦନ ଓ ଆବେଦନର କୌଣସି ପ୍ରଭାବ ବ୍ୟବସାୟୀ ଏବଂ ବଜାର ଉପରେ ପଡୁ ନାହିଁ। ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିୟମିତ ବଜାର ତଦାରଖ କରି ପଦକ୍ଷେପ ନେବା ବଦଳରେ ସମସ୍ୟାର ଏକ ଅଂଶ ପାଲଟି ଯାଇଛନ୍ତି। ମନ୍ତ୍ରୀ ମହୋଦୟ ଆଳୁ ସଙ୍କଟଙ୍କୁ ଜରୁରୀ କାଳୀନ ସ୍ଥିତି ମନେ କରି ଗମ୍ଭୀର ପଦକ୍ଷେପ ନେବା ବଦଳରେ ଖାମଖିଆଲ ଭାବରେ ପଶ୍ଚିମବଙ୍ଗରୁ ଆଉ ଆଳୁ ଆଣିବୁ ନାହିଁ କହି ପରିସ୍ଥିତିକୁ ବିଗିଡେଇବାରେ ଇନ୍ଧନ ଯୋଗାଇବା ଛଡ଼ା ଆଉ କିଛି କରୁ ନାହାନ୍ତି। ସେହିଭଳି ଉତ୍ତର ପ୍ରଦେଶରୁ ଆଳୁ ଆଣି ରାଜ୍ୟରେ ଆଳୁ ଆବଶ୍ୟକତା ମେଣ୍ଟେଇବାର ଯେଉଁ ଚିନ୍ତାଧାରା ନେଇ ଯୋଗାଣ ବିଭାଗ ଚାଲିଚି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ତାତ୍କାଳିକ ଚାହିଦା ମୁକାବିଲା ପାଇଁ ରାଜ୍ୟ ସରକାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କଥାବାର୍ତ୍ତା କରି ଆଳୁ ଯୋଗାଣରେ ରହିଥିବା ଆସୁବିଧା କେମିତି ହଟିବ ସେ ଦିଗରେ ନିଜ ପ୍ରୟାସ କୁ ଦ୍ୱିଗୁଣିତ କରନ୍ତୁ। ସେହିପରି ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଆତ୍ୟାବଷ୍ୟକ ପଦାର୍ଥ ହୋଇଥିବାରୁ ଏହି ସଙ୍କଟରୁ ମୁକୁଳିବା ସକାଶେ ଦୀର୍ଘକାଳୀନ ପଦକ୍ଷେପ ସ୍ୱରୂପ ଆଳୁ ମିଶନକୁ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟକାରୀ କରି ଆମ ରାଜ୍ୟ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କିପରି ହୋଇପାରିବେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ଆଳୁ ଚାଷ ନିମନ୍ତେ ଉପଯୁକ୍ତ ଜମି ଓ ଜଳବାୟୁ ଅଞ୍ଚଳ ଚିହ୍ନଟ କରି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଯୋଗାଣ ବିଭାଗକୁ ବାଜାରିକରଣ ଦାୟିତ୍ଵ ଦିଅନ୍ତୁ। ଅଧିକନ୍ତୁ ଏଥି ନିମନ୍ତେ ମାର୍କଫେଡ୍ ଓ ନାଫେଡ ର ସାହାଯ୍ୟ ମଧ୍ୟ ସରକାର ଚାହିଁଲେ ନେଇ ପାରିବେ । ସେହିଭଳି ଆଳୁ ଚାଷୀଙ୍କୁ ଉପଯୁକ୍ତ ଗୁଣାତ୍ମକ ବିହନ , ସାର, କୀଟନାଶକ ସଠିକ୍ ସମୟରେ ଯୋଗାଇ ଦେବା ସହ ଜଳ ସେଚନର ପ୍ରଜ୍ୟାପ୍ତ ବନ୍ଦୋବସ୍ତ କରନ୍ତୁ। ଆଳୁ ଚାଷ ହେଉଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ସ୍ଥାପନ କରି ରିହାତିରେ ଚାଷୀ ଓ ବ୍ୟବସାୟୀଙ୍କୁ ଯୋଗାଇ ଦିଅନ୍ତୁ। ନଚେତ୍ ଆଳୁକୁ ନେଇ ସବୁବେଳେ ଏଭଳି ସ୍ଥିଥ ଦେଖିବାକୁ ମିଳିବ। ଯୋଗାଣ ବିଭାଗ ଉପରେ ସବୁ ଛାଡ଼ି ନଦେଇ ମୁଖ୍ୟମନ୍ତ୍ରୀ ମହୋଦୟ ନିଜେ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ଏବଂ ଯୋଗାଣ ବିଭାଗରେ ବହୁ ପ୍ରତିକ୍ଷୀତ ପ୍ରଶାସନିକ ସଂସ୍କାର ଆଣି ଏହି ବିଭାଗକୁ ଉତ୍ତରଦାୟୀ ଓ ଗତିଶୀଳ କରନ୍ତୁ ବୋଲି ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଇମେଲ ମାଧ୍ୟମରେ ଚିଠି ଲେଖିଛନ୍ତି।


